ଦ୍ୱନ୍ଦ୍ୱର ଅନ୍ତ , ଅନନ୍ତଙ୍କୁ ଟିକେଟ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ଟିକେଟ ପାଇଁ ଜୋରସୋର କସରତ ଚାଲିଥିଲା। କାହାକୁ ଏହି ଆସନରୁ ବିଜେଡି ଟିକେଟ ଦେବ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଶେଷରେ ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଏହି ଆସନ ପାଇଁ ବିଧାନସଭା ଟିକେଟ ଘୋଷଣା କରିଛି । ବିଜେଡି ପୁଣି ଏହି ଆସନରୁ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି । ଭୁବନେଶ୍ୱର ମଧ୍ୟ ପାଇଁ କର୍ପୋରେଟର ଅମରେଶ ଜେନା ଆଶାୟୀ ଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଦଳ ପୁଣି ଅନନ୍ତ ଜେନାଙ୍କୁ ଭରସା କରିଛି ।
ଭୁବନେଶ୍ୱର ମଧ୍ୟ ପାଇଁ ଅମରେଶଙ୍କ ବ୍ୟତୀତ ରୁଦ୍ର ସାମନ୍ତରାୟ ବି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ଅନନ୍ତଙ୍କୁ ବିରୋଧ କରି ଏହି ଦୁଇ ନେତା ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ । ହେଲେ ବହୁ କସରତ ପରେ ବିଜେଡି ଶେଷରେ ଅନନ୍ତଙ୍କୁ ଏହି ଆସନ ପାଇଁ ପୁଣି ବାଛିଚି । ତେବେ ପୂର୍ବରୁ ବିଜେଡି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ଟିକେଟ ଘୋଷଣା କରିସାରିଥିଲା । ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା ଓ ଉତ୍ତରରୁ ଶୁସାନ୍ତ ରାଉତ ଲଢିବା ନେଇ ବିଜେଡି ଘୋଷଣା କରି ସାରିଛି । ତେବେ ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା ୨୦୧୯ରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଆଉ ବିଧାୟକ ହୋଇଥିଲେ । ତେବେ ଏହି ଆସନକୁ ବିଜେଡି ପୁଣି ନିଜ ଅକ୍ତିଆରକୁ ନେବାକୁ ଅନନ୍ତଙ୍କୁ ଭରସା କରିଛି ।
ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବଢିଲା ଚର୍ଚ୍ଚା । ଏଥର ବାଜି ମାରିବ କିଏ, ବିଜେଡିର ଅନନ୍ତ ନାରାୟଣ ଜେନା ନା ବିଜେପିର ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ମଧ୍ୟ ଆସନରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ । ଗତଥର ଭଳି ପୁଣି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଲଢ଼ିବେ ଅନନ୍ତ ।