FM ପୀଡିତାଙ୍କ ମୃତ୍ୟୁ ;ଏହା ଆତ୍ମହତ୍ୟା ନୁହେଁ : ଟୁଇଟରେ ଲେଖିଲେ ରାହୁଲ

ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। ଏହି ସମୟରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ଭାଜପା ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ବର ଉଠାଇଥିଲେ ।

 କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା। ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗି ଚାଲିଥିଲେ। ପ୍ରତ୍ୟେକ ଥର ପରି, ଭାଜପା ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା ଏବଂ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା। ରାହୁଲ ଆହୁରି ଲେଖିଛନ୍ତି, ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର , ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ଆତ୍ମହତ୍ୟା କରୁଛନ୍ତି ଆଉ ଆପଣ? ଆପଣ ଚୁପ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଏହା ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।