ଅଗଷ୍ଟରେ ଗଣତି ଓ ମଣତି
ପୁରୀ: ରଥଯାତ୍ରା ପରେ ଶ୍ରୀମନ୍ଦିରର ଅସ୍ଥାୟୀ ଖଟଶେଯ ଘରେ ଥିବା ରତ୍ନଅଳଙ୍କାର ଭିତର ଓ ବାହାର ରତ୍ନଭଣ୍ଡାରକୁ ଅଣାଯିବ । ଆବଶ୍ୟକୀୟ ପ୍ରକ୍ରିୟା ପରେ ରତ୍ନାଳଙ୍କାର ସ୍ଥାନାନ୍ତରିତ ହେବ । ଏସମ୍ପର୍କରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ ରତ୍ନଭଣ୍ଡାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ବୁଧବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨ଜଣ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ପଠାଇବା ପାଇଁ ଚିଠି ଲେଖାଯିବ । ସ୍ୱତନ୍ତ୍ର ଏସ୍ଓପି ଅନୁଯାୟୀ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ । ଏହାପରେ ହିଁ ଅସ୍ଥାୟୀ ଖଟଶେଯ ଓ ଫୁଲଶେଯ ଘରେ ଥିବା ରତ୍ନଅଳଙ୍କାର ଭିତର ବାହାର ଭଣ୍ଡାରକୁ ଅଣାଯିବ । ଅଗଷ୍ଟ ମାସରେ ରତ୍ନ ଅଳଙ୍କାରର ଗଣତି ଓ ମଣତି ପ୍ରକ୍ରିୟା ହୋଇପାରେ । ଏହି ପ୍ରକ୍ରିୟାରେ ୧୯୭୮ ମସିହାର ଗଣତି ମଣତି ତାଲିକା ସହ ସେସବୁର ମେଳ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।