ଘରେ କରନ୍ତୁ ଗରମ ମସଲା

 ରୋଷେଇରେ ଗରମ ମସଲାର ଉପସ୍ଥିତି ଅତି ସାଧାରଣ। ବିଭିନ୍ନ ନାମୀ କମ୍ପାନିର ଗୁଣ୍ଡ ମସଲା ବ୍ୟତୀତ ଅ‌େ‌ନକେ ଘରେ ଏହାକୁ ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି। କାରଣ ପ୍ରତି ପରିବାରର ସ୍ବତନ୍ତ୍ର ସ୍ବାଦ ଓ ସୁଗନ୍ଧ ତାଙ୍କ ରାନ୍ଧଣାରୁ ହିଁ ଜାଣିହୁଏ। ଗରମ ମସଲା ପ୍ରସ୍ତୁତି ଲାଗି ଆବଶ୍ୟକ ଏକ ଚାମଚ ଗୋଟା ଧନିଆ, ଏକ ଚାମଚ ଗୋଟା ଜିରା, ଲକ ଚାମଚ ଗୋଲମରିଚ , ଗୋଟିଏ ଜାଇତ୍ରୀ, ଗୋଟିଏ ଜାଇଫଳ, ଗୋଟେ ଚାମଚ ପାନମହୁରୀ, ୫/୬ଟି ଗୁଜୁରାତି, ଦୁଇଟି ଅଳେଇଚ, ଗୋଟେ ଚାମଚ ଲବଙ୍ଗ, ଦୁଇଟି ତେଜପତ୍ର, ଗୋଟିଏ ଚକ୍ରୀ ଫୁଲ (ଷ୍ଟାର୍‌ ଅନିଶ୍‌), ଶୁଖିଲା ଲଙ୍କା ୫/୬ଟି, ଡାଲଚିନି ୨ ଇଞ୍ଚର।

ସବୁ ମସଲାକୁ ହାଲୁକା ଆଞ୍ଚରେ ବାସ୍ନା ଆସିବା ଯାଏ ଅଲଗା ଅଲଗା ଭାଜିନେବେ। ଯଦି ପାରିବେ ଏହି ମସଲାରେ ଅଳ୍ପ କବାବ୍‌ ଚିନି, ସାହାଜିରା ଓ ପଥର ଫୁଲ ବା ଜଗଡ୍‌ ଫୁଲ ମିଶେଇଲେ ବାସ୍ନା ବଢ଼ିଯିବ। ସବୁ ମସଲା ଥଣ୍ଡା ହେଲାପରେ ଗ୍ରାଇଣ୍ଡର୍‌ରେ ମସଲା ସବୁ ଅଳ୍ପ ଲୁଣ, ଟିକେ ହଳଦୀଗୁଣ୍ଡ ଓ କଶ୍ମୀର ଲାଲ୍‌ ଲଙ୍କାଗୁଣ୍ଡ ଚାମୁଚେ ପକାଇ ଭଲରେ ଗ୍ରାଇଣ୍ଡ୍‌ କରି ଛଣାରେ ଛାଣିନେବେ। ଏହାକୁ ଛ’ମାସ ଯାଏ ବ୍ୟବହାର କରିହେବ। ଉଭୟ ଆମିଷ ଓ ନିରାମିଷ ରାନ୍ଧଣାର ସ୍ବାଦ ବଢ଼ିଯିବ ନିଶ୍ଚୟ।