ହାର୍ଟ ସୁସ୍ଥ ରଖିବାକୁ ଚାହୁଁଥିଲେ.....!

ହାର୍ଟ ସୁସ୍ଥ ରଖିବାକୁ ଚାହୁଁଥିଲେ.....!

ଆଜିକାଲି ହୃହ୍‌ରୋଗ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହୋଇଛି। ଏବେ ଏହାର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଅନୁସରଣ କରାଯାଉଛି। ଠିକ୍‌ ସମୟରେ ଚିକିତ୍ସିତ ହେଲେ ଅନେକେ ଏଥିରୁ ଆରୋଗ୍ୟ ଲାଭ କରିପାରୁଛନ୍ତି। ହେଲେ ଯଦି ଆମେ ନିଜ ଚିନ୍ତାଧାରାକୁ ସକାରାତ୍ମକ ରଖିବା ତେବେ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା କେତେକାଂଶରେ କମ୍‌ ରହିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏଭଳି ବିଷୟ ଉପରେ ଟୋକିଓ ବିଶ୍ୱବିଦ୍ୟାଳୟର ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି।

ସକାରାତ୍ମକ ଚିନ୍ତାଧାରା ସହ ବଞ୍ଚୁଥିବା କେତେକ ବ୍ୟକ୍ତିଙ୍କଠାରେ ଏହାର ଲକ୍ଷଣ ଅନ୍ୟମାନଙ୍କ ତୁଳନାରେ ସେମାନେ କମ୍‌ ଦେଖିବାକୁ ପାଇଥିଲେ। ସବୁଠାରୁ ଅଧିକ ସଂଖ୍ୟାରେ ହେଉଥିବା ହୃଦ୍‌ରୋଗ ଯାହା କରୋନାରୀ ଧମନୀରେ ରକ୍ତ ସଞ୍ଚାଳନରେ ବାଧା ଯୋଗୁ ହୋଇଥାଏ। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଓ ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ତେବେ ଆମ୍ଭେମାନେ ଚାହିଁଲେ ହୃଦ୍‌ରୋଗକୁ କମାଇ ପାରିବା ଏବଂ ହୃଦରୋଗଜନିତ ମୃତ୍ୟୁରୁ ରକ୍ଷା ପାଇପାରିବା। ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍‌ ଲୁଣ, କମ୍‌ ଚିନି, ତଟକା ଫଳମୂଳ, ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ଏହିପରି କାର୍ଯ୍ୟବିଧି ହୃଦ୍‌ଘାତର ଆଶଙ୍କା କମାଇ ଦେଇଥାଏ।