ବୋମା ଖଞ୍ଜିବାକୁ ଚେଷ୍ଟା ବେଳେ ୩ ନକ୍ସଲକୁ କାବୁ କଲେ ଯବାନ
ମାଲକାନଗିରି : ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ । ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ଛତିଶଗଡ଼ର ସୀମାନ୍ତ ଜିଲ୍ଲା ସୁକମା ପୁଲିସ । ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)। ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଂଚଳର ପେଣ୍ଟାପାଡା, ଏଣ୍ଟାପାଡ ଗ୍ରାମ୍ୟ ଜଂଗଲରେ ପୁଲିସ, ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ ।
ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିବା ୩ ଜଣ ନକ୍ସଲକୁ ସର୍ଚ୍ଚ ଅପରେସନ ବେଳେ ଯବାନ କାବୁ କରିଥିଲେ । ଟିଫିନ ବୋମା, ବିଦ୍ୟୁତ ତାର, ଡିଟୋନେଟର, କୋଡେକ୍ସ ତାର, ବ୍ୟାଟେରି ଇତ୍ୟାଦି ପୁଲିସ ଜବତ କରିଛି । ପଚରାଉଚରା ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଟିଫିନ ବୋମା ଖଞ୍ଜୁଥିଲୁ ବୋଲି ନକ୍ସଲମାନେ ସ୍ବୀକାର ମଧ୍ୟ କରିଥିଲେ । ତଦନ୍ତ ପରେ ପୁଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।