ବଡ଼ ଖବର: ଭାରତରେ ଦୁଇ ଏଚଏମପିଭି ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: କରୋନା ପରେ ଏବେ ଏଚଏମପିଭି । ଏହାକୁ ନେଇ ଏବେ ଚିନ୍ତାରେ ସମସ୍ତେ । କାରଣ ଚାଇନା ଭାଇରସ ଏଚଏମପିଭି ଏବେ ଭାରତରେ ପହଞ୍ଚିଛି । ଭାରତରେ ଦୁଇ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରୁଟିନ ସର୍ଭେଲାନ୍ସବେଳେ ୨ ଜଣ ଆକ୍ରାନ୍ତଙ୍କୁ ବେଙ୍ଗାଲୁରୁରେ ଚିହ୍ନଟ କରାଯାଇଛି । ଜଣେ ୩ମାସର ଶିଶୁ କନ୍ୟା ଓ ଜଣେ ୮ମାସର ଶିଶୁପୁତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟ ଶିଶୁଙ୍କୁ ମେଡିକାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ପଜିଟିଭ ଚିହ୍ନଟ ହୋଇଥିବା ୨ଶିଶୁଙ୍କ କୌଣସି ବାହାର ରାଷ୍ଟ୍ରର ଲିଙ୍କ ନାହିଁ । ଏପରିକି ସେମାନେ ବାହାର ରାଷ୍ଟ୍ରକୁ ଯାଇ ବି ନାହାନ୍ତି ।
ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଥିଲା ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଥିଲା। ପ୍ରାୟ ୫ ବର୍ଷ ପରେ କୋଭିଡ୍-୧୯ ଭୂତାଣୁ ଭଳି ଏବେ ‘ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍(ଏଚଏମପିଭି) ଚୀନ୍ରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାଧାରଣତଃ ଶୀତକାଳରେ ଏହି ଭୂତାଣୁ ଅଧିକ ସକ୍ରିୟ ହେବା ସହିତ ସଂକ୍ରମଣ ବଢାଇଥିଲା ବେଳେ ବର୍ତ୍ତମାନ ଚୀନ୍ର ବିଭିନ୍ନ ପ୍ରଦେଶରେ ଏହି ଭୂତାଣୁ କାୟା ବିସ୍ତାର କରି କୋଭିଡ୍-୧୯ ଭଳି ସ୍ଥିତି ଉତ୍ପନ୍ନ କରିଛି। ଏହାକୁ ନେଇ ଚୀନ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି।