ହୋମ୍‌ଗାର୍ଡ ନିଯୁକ୍ତିରେ ଅନିୟମିତତା

ହୋମ୍‌ଗାର୍ଡ ନିଯୁକ୍ତିରେ ଅନିୟମିତତା

ଗଞ୍ଜାମ ଜିଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା। ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା ପରୀକ୍ଷାର ସ୍ବଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯାହା ଫଳରେ ପ୍ରାର୍ଥୀଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ବଢ଼ିଥିଲା।
ଗୃହରକ୍ଷୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି ଯେ, ନିଯୁକ୍ତି କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା ଦୃଷ୍ଟିଗୋଚର ହୋଇଛି। ତେଣୁ ୦୭.୦୯.୨୦୨୫ରେ ପ୍ରଥମ ପର୍ଯ୍ୟାୟ OMR GK ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ୦୭ ଦିନ ମଧ୍ୟରେ ଅର୍ଥାତ୍‌ ୨୧.୦୯.୨୦୨୫ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କ ଥାନା ବା ଜିଲା ଗୃହରକ୍ଷୀ କାର୍ଯ୍ୟାଳୟ, ଛତ୍ରପୁରରେ ଅଭିଯୋଗପତ୍ର ଦାଖଲ କରି ଦକ୍ଷତା ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇଛି। ଅଭିଯୋଗର ଯୋଗ୍ୟତା ଆଧାରରେ ସମାଧାନ କରାଯିବ। ଯେଉଁମାନେ ବିଜ୍ଞାପନରେ ନିର୍ଦ୍ଦିଷ୍ଟ ଦକ୍ଷତା (ସାଧାରଣ ଡ୍ୟୁଟି ବା ସାମୁଦ୍ରିକ ବ୍ୟତୀତ) ଉଲ୍ଲେଖ କରିଛନ୍ତି ଏବଂ ପୂର୍ବରୁ ଏକ ବର୍ଷର ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିନାହାନ୍ତି, ସେମାନେ ତାହା ଦାଖଲ କରିବେ। ଅଭିଯୋଗ ପତ୍ରରେ ଯୋଗାଯୋଗ ନମ୍ବର ଓ ରୋଲ ନମ୍ବର ସ୍ପଷ୍ଟ ଉଲ୍ଲେଖ କରିବା ଆବଶ୍ୟକ। କିନ୍ତୁ ୧୪.୯.୨୦୨୫ରେ ଛତ୍ରପୁର ରିଜର୍ଭ ପୋଲିସ ପରେଡ୍‌ ଗ୍ରାଉଣ୍ଡରେ ଶାରୀରିକ ମାପ ପରୀକ୍ଷାରେ ଉଚ୍ଚତା ପାଇଁ ଅଯୋଗ୍ୟ ଘୋଷିତ ପ୍ରାର୍ଥୀମାନେ ନୂତନ ଅଭିଯୋଗ ଦାଖଲ କରିବାକୁ ଯୋଗ୍ୟ ନୁହନ୍ତି। ପରବର୍ତ୍ତୀ ସୂଚନା ଶୀଘ୍ର ଦିଆଯିବ। ଆଶାୟୀମାନେ କହୁଛନ୍ତି ଯେ, ଆବେଦନରେ କମ୍ପ୍ୟୁଟର ପଦବୀ ଚୟନ କରିଥିବା ପ୍ରାର୍ଥୀଙ୍କୁ ଜେନେରାଲ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି, ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ରମ୍ଭା ଥାନାରେ ଏହି ଅନିୟମିତତା ସୀମିତ ନୁହେଁ; ଗଞ୍ଜାମର ଅନ୍ୟ ଥାନାଗୁଡ଼ିକରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା।