ଆଜିଠୁ ଆଇପିଏଲ୍ ମହାକୁମ୍ଭ

 ମୁମ୍ବାଇ : ଆଜିଠୁ ଆଇପିଏଲ୍ । ଜମିବ କ୍ରିକେଟ ମହାକୁମ୍ଭ । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । କି୍ରକେଟ ପ୍ରେମୀଙ୍କ ମଧ୍ୟରେ ବୁଢୁଛି ଉତ୍ସାହ । ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ପୁଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମ୍ୟାଚ୍ ଗୁଆହାଟୀକୁ ସ୍ଥାନାନ୍ତର ହୋଇଛି । ଏନେଇ ବେଙ୍ଗଲ କ୍ରିକେଟ୍ ସଂଘ ସଭାପତି ସ୍ନେହାଶିଷ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତବର୍ଷ ରାମନବମୀରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କେକେଆର୍ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ରେ ଭେନୁ୍ୟକୁ ମଧ୍ୟ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ନହେଲେ ୬୫୦୦୦ରୁ ଅଧିକ ଦର୍ଶକଙ୍କୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ହେବ । ଏଣୁ କେକେଆର୍-ଏଲ୍ଏସ୍ଜି ମ୍ୟାଚ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆମେ ବିସିସିଆଇକୁ ଅନୁରୋଧ କରିଥିଲୁ ବୋଲି ସ୍ନେହାଶିଷ କହିଛନ୍ତି । ସୂଚନାଯୋଗ୍ୟ ଯେ ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ଶୋଭାଯାତ୍ରା କରାଯିବ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । ଏହାକୁ ଦେଖି କୋଲକାତା ପୁଲିସ ରାମନବମୀରେ କ୍ରିକେଟ୍ ମ୍ୟାଚ୍ ପାଇଁ  ସୁରକ୍ଷା ଦେବାକୁ ନିଜ ଅକ୍ଷମତା ପ୍ରକାଶ କରିଥିବା ଜଣାପଡିଛି ।