ପୁଞ୍ଜିଲାଲକୁ ଆଜୀବନ ଜେଲ୍

ପୁଞ୍ଜିଲାଲକୁ ଆଜୀବନ ଜେଲ୍

ବଲାଙ୍ଗୀର :ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ପ୍ରକାଶ ପାଇଛି  । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି  । ସାରା ଜୀବନ ସେ ଜେଲ୍ରେ ହିଁ ରହିବ  । ପୁଞ୍ଜିଲାଲକୁ ଆଇପିସି ୩୦୨, ଆଇପିସି ୩୦୭, ଆଇପିସି ୨୧୦, ଏକ୍ସପ୍ଲୋଜିଭ ସବଷ୍ଟାନ୍ସ ଆକ୍ଟର ସେକ୍ସନ ୩ ଓ ସେକ୍ସନ ୪ ଆଧାରରେ ଦଣ୍ଡବିଧାନ କରାଯାଇଛି  । ପାଟଣାଗଡ଼ ଅତିରିକ୍ତ ସେସନ୍ ଜଜ୍ଙ୍କ କୋର୍ଟ ଏହି ରାୟ ଶୁଣାଇଛନ୍ତି  ।
ସୂଚନାଯୋଗ୍ୟଯେ, ୨୦୦୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ଘଟିଥିବା ଏହି ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା  । ଏହି ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଓ ତାଙ୍କ ଆଈ ଜେମାମଣିଙ୍କ ମୃତୁ୍ୟ ଘଟିଥିଲା  । ନବ ବିବାହିତ ରୀମାଙ୍କ ପାଦରୁ ଅଳତା ଲିଭିବା ପୂର୍ବରୁ ତାଙ୍କର ସିନ୍ଦୁର ଲିଭି ଯାଇଥିଲା  । ବିବାହର ଦୁଇଦିନ ପରେ ହିଁ ଏମିତି ଅଘଟଣ ଘଟିଥିଲା  । ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରୀରେ ପଦୋନ୍ନତି ନେଇ ଅଧ୍ୟାପକ ପୁଞ୍ଜିଲାଲ ମେହେରର ବିବାଦ ଥିଲା  । ସଂଯୁକ୍ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବାରୁ ଅଧ୍ୟକ୍ଷ ହେବାକୁ ଚାହୁଁଥିବା ପୁଞ୍ଜିଲାଲ ମନରେ ଅସନ୍ତୋଷ ରହିଥିଲା  । ତେଣୁ ପ୍ରତିଶୋଧ ନେବା ପାଇଁ ପୁଞ୍ଜିଲାଲ ପାର୍ସଲ ବୋମା ପ୍ରସ୍ତୁତ କରିବା ସହ ରାୟପୁରରୁ ସ୍କାଏ କିଙ୍ଗ କୋରିୟରରେ ପାର୍ସଲ ପଠାଇଥିଲା  । ଘଟଣା ଦିନ ୧୨ଟା ୪୫ରେ ପାର୍ସଲ ପହଁଚିଥିଲା  । ସୌମ୍ୟ ପାର୍ସଲ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା  । ଘର କାନ୍ଥ, କବାଟ, ଝରକା, ଆସବାବପତ୍ର ଆଦି କ୍ଷତିଗ୍ରସ୍ତ ହୋଇଥିଲା  । ପ୍ରାରମ୍ଭିକ ତଦନ୍ତ ପରେ ପୁଞ୍ଜିଲାଲର ସଂପୃକ୍ତି ନେଇ ପ୍ରମାଣ ମିଳିଥିଲା  । ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲକୁ ୨୦୧୮ ଅପ୍ରେଲ ୨୪ରେ ଗିରଫ କରିବା ସହ ପାଟଣାଗଡ଼ ଏସଡ଼ିଜେଏମ କୋର୍ଟକୁ ପଠାଇ ଦେଇଥିଲା  । ୬୨ ଜଣ ସାକ୍ଷ୍ୟଙ୍କ ମତ ଆଧାରରେ ୧୦୦ ତଥ୍ୟମୂଳକ ପ୍ରମାଣ କୋର୍ଟରେ ଉପସ୍ଥାପିତ କରାଯାଇଥିଲା  । ତଥ୍ୟ ପ୍ରମାଣକୁ ଅନୁଶୀଳନ କରିବା ପରେ ପାଟଣାଗଡ଼ ଅତିରିକ୍ତ ସେସନ ଜଜ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିଥିଲେ  । ପୁଞ୍ଜିଲାଲକୁ ଆଇପିସି ୩୦୨, ଆଇପିସି ୩୦୭, ଆଇପିସି ୨୧୦, ଏକ୍ସପ୍ଲୋଜିଭ ସବଷ୍ଟାନ୍ସ ଆକ୍ଟର ସେକ୍ସନ ୩ ଓ ସେକ୍ସନ ୪ ଆଧାରରେ ଦଣ୍ଡବିଧାନ କରାଯାଇଛି  । ସିଆଇଡ଼ି, ସିବି ଏହି ମାମଲାର ତଦନ୍ତ ସହ ଶୁଣାଣୀ ପର୍ଯ୍ୟନ୍ତ ମାମଲାର ଅନୁଧ୍ୟାନ କରୁଥିଳେ  । ସିଆଇଡ଼ିର ପୂର୍ବତନ ଅତିରିକ୍ତ ଏସପି ଅନୀଲ କୁମାର ଦାସ ମାମଲାର ତଦନ୍ତ କରିଥିଲେ  । ସେହିପରି ଶୁଣାଣୀର ଅନୁଧ୍ୟାନ କରିଥିଲେ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଚିତ୍ତରଞ୍ଜନ କାନୁନଗୋ ଓ ପାଟଣାଗଡ଼ର ଏପିପି ଆଶିଷ କୁମାର ଚନ୍ଦନ  ।