ଦକ୍ଷିଣ ଓଡ଼ିଶାରେ ମୌସୁମୀ
ଭୁବନେଶ୍ୱର: ସାଧାରଣତଃ ଜୁନ୍ ୧୦ରେ ଓଡ଼ିଶା ଛୁଇଁଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏବର୍ଷ କିନ୍ତୁ ୧୨ ଦିନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପହଁଚିଛି । ଆଜି ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତବର୍ଷ ଜୁନ୍ ୮ରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ।
ଆଇଏମଡ଼ିର ସୂଚନା ଅନୁଯାୟୀ, ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ରର କିଛି ଅଧିକ ଅଂଶ, କର୍ଣ୍ଣାଟକର ଅବଶିଷ୍ଟ ଅଂଶ, ତେଲେଙ୍ଗାନାର ଅଧିକାଂଶ ଅଂଶ, ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶ, ଛତିଶଗଡ଼ର କିଛି ଅଂଶ ଏବଂ ଓଡ଼ିଶା, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଅବଶିଷ୍ଟ ଅଂଶକୁ ଆଗକୁ ବଢ଼ିଛି । ମୌସୁମୀ ଓ ଲଘୁଚାପ ପ୍ରଭାବରେ ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, ଯାଜପୁର, କନ୍ଧମାଳ ଓ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ସର୍ବାଧିକ ୧୦ ସେମି, କନ୍ଧମାଳର କୋଟଗଡ଼ରେ ୧୦ ସେମି, ବିଞ୍ଝାରପୁର, ବାସୁଦେବପୁର, ଆଉଲ, କେ ନୂଆଗାଁରେ ୯ ସେମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ସେହିପରି ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ସେଠାରେ ହିଁ ରହିଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ସହିତ ଦକ୍ଷିଣ ଆଡ଼କୁ ଘୂର୍ଣ୍ଣିବଳୟ ଭାବେ ବ୍ୟାପିରହିଛି । ଏହା ଧିରେଧିରେ ଉତ୍ତର ଆଡ଼କୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ଆସନ୍ତାକାଲି ଲଘୁଚାପ ଓ ମୌସୁମୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିିମି ବେଗରେ ପବନ ବହିବ । ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅପରପକ୍ଷରେ କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଏହିସବୁ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।