କେଜ୍ରିୱାଲଙ୍କ ପିଏସ ମୋତେ ବିଧା, ଗୋଇଠା ମାରିଛନ୍ତି - ସ୍ୱାତୀଙ୍କ ଲିଖିତ ଅଭିଯୋଗ

କେଜ୍ରିୱାଲଙ୍କ ପିଏସ ମୋତେ ବିଧା, ଗୋଇଠା ମାରିଛନ୍ତି - ସ୍ୱାତୀଙ୍କ ଲିଖିତ ଅଭିଯୋଗ

ଶେଷରେ ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଦ୍ୱାରା ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୁଲିସରେ ସେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

ନିଜ ଅଭିଯୋଗପତ୍ରରେ ସ୍ୱାତି ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଗତ ସୋମବାର ଯାଇଥିଲି। ଡ୍ରଇଂ ରୁମରେ ସେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚିଥିଲେ। ଏହାପରେ ସେ ମୋ’ ସହ ଦୁର୍ବ୍ୟବହାର କରିଥିଲେ। ପ୍ରତିବାଦ କରିବାରୁ ମାରପିଟ ଆରମ୍ଭ କରିଦେଇଥିଲେ। ଏପରିକି ସେ ବାରମ୍ବାର ମୋତେ ଚାପୁଡ଼ା, ବିଧା, ଗୋଇଠା ମାରିବାକୁ ପଛାଇଲେ ନାହିଁ।

ଥାନାରେ ଅଭିଯୋଗ ପରେ ଦିଲ୍ଲୀ ଏମ୍ସରେ ସ୍ୱାତୀଙ୍କ ମେଡିକାଲ ଟେଷ୍ଟ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ ବୈଭବ କୁମାରଙ୍କ ନାଁରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ବୈଭବ କୁମାରଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ନ ପାଇ ଖାଲି ହାତରେ ଫେରିଥିବା ଜଣାଯାଇଛି।

ଦିଲ୍ଲୀ ମହିଳା ଆୟୋଗ ତରଫରୁ ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧାର ହାଜର ହେବାକୁ ବୈଭବ କୁମାରଙ୍କୁ କୁହାଯାଇଛି। ଗତକାଲି ତାଙ୍କୁ କେଜ୍ରିୱାଲଙ୍କ ସହ ଲକ୍ଷ୍ନୌ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଆଜି ମହାରାଷ୍ଟ୍ରରେ କେଜ୍ରିୱାଲଙ୍କ କାର୍ଯ୍ୟକ୍ରମ ଥିବାରୁ ବୈଭକ କୁମାର ବି ତାଙ୍କ ସହ ସେଠାକୁ ଯାଇଥିବା ଅନୁମାନ କରାଯାଉଛି। ବୈଭବ କୁମାରଙକୁ ଖୋଜି ବାହାର କରିବାକୁ ୧୦ଟି ଟିମ୍‌ ଗଠିନ ହୋଇଛି। ସେଥିମଧ୍ୟରୁ ୪ଟି ଟିମ୍ ତାଙ୍କ ଲୋକେସନ ଚିହ୍ନଟ କରିବାରେ ଲାଗିଛି।