ଆସୁଛି ନୂଆଁଖାଇ: ଚଳ ଚଞ୍ଚଳ ‘ତିହାର୍’ ହାଟ୍
କୋକସରା : ଆଉ ଦିନ କେଇଟା ପରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଗାଁ ଠୁ ସହର ସବୁଠି ଚାଲିଛି ସଜବାଜ । ତେବେ ସହର ଠାରୁ ଗାଁ ରେ ଏହି ପର୍ବ ଟିକେ ନିଆରା ରହିଥିବା ବେଳେ ଗାଁ ଗାଁରେ ଦେଖା ଦେଇଛି ଉସôବର ମାହୋଲ । ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ମହିଳାମାନେ ମଧ୍ୟ ଘର ଦ୍ୱାର ଲିପାପୋଛା ସାଙ୍ଗକୁ ଘରର ବିଭିନ୍ନ ସାମଗ୍ରୀ ଧୁଆପୋଛା ଆରମ୍ଭ କଲେଣି । ନୂଆଁଖାଇ ଆଉ କେହିଦିନ ବାକି ଥିବାରୁ କିଣା ବିକା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ହାଟ ବଜାର । ବଜାରରୁ ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଧାନ ଚୁଡ଼ା ଓ ନୂଆ ଲୁଗା କିଣୁଛନ୍ତି ଲୋକେ । ପରିବାରର ସମସ୍ତ ସଦସ୍ୟ ନୂଆ ପିନ୍ଧିବେ । ସେଥିପାଇଁ ବଜାର କପଡା ଦୋକାନରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । କଳାହାଣ୍ଡିବାସୀଙ୍କ ପାଇଁ ବର୍ଷକର ଅନ୍ୟ ମାସ ଅପେକ୍ଷା ଭାଦ୍ରବମାସ ଅଧିକ ଗୁରୁତ୍ୱ ବହନ କରେ । ପରମ୍ପରା ଅନୁସାରେ ପ୍ରତିବର୍ଷ ଭାଦ୍ରବମାସ ପଞ୍ଚମୀ ତିଥିରେ ଅଧିକାଂଶ ଗାଁ ନୂଆ ଖାଉଥିବାବେଳେ ଗଡଜାତବାସୀ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରନ୍ତି । ନୂଆଁଖାଇ ପୂର୍ବରୁ ଯିଏ ଯେଉଁଠି ଥିଲେ ବି ଘରକୁ ଆସିଥାନ୍ତି । ବର୍ଷର ନୂଆ ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀ ପାଖରେ ସମର୍ପଣ କରିବା ପରେ ପରିବାର ସମସ୍ତେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥାନ୍ତି । ଏହି ଦିନପାଇଁ ସମସ୍ତେ ରାଗ ଅଭିମାନ ଭୁଲି ଏକତ୍ରିତ ହୋଇଥାନ୍ତି । ପରସ୍ପର ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଯାଆନ୍ତି ।