ଓୟୁଏଟି ପ୍ରଶାସନିକ ଭବନ ତୁରନ୍ତ ଶେଷ କର
ଭୁବନେଶ୍ୱର : କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ତୁରନ୍ତ ଏହି ନିର୍ମାଣ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ନୂଆ ରୂପରେଖ ଦେଇ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସଂପ୍ରତି ଓୟୁଏଟିରେ ହଷ୍ଟେଲ ଏବଂ ପ୍ରଶାସନିକ ଭବନର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୨୦୦ ଶଯ୍ୟା ବିଶିଷ୍ଟ କୃଷକ ହଷ୍ଟେଲ, ୫୦୦ ଶଯ୍ୟା ବିଶିଷ୍ଟ ନୂତନ ପ୍ରେକ୍ଷାଳୟ, ନୂତନ ପ୍ରଶାସନିକ ଭବନ, ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ହଷ୍ଟେଲର ଉନ୍ନତିକରଣ, କୃଷକ ପ୍ରଶିକ୍ଷଣ କେନ୍ଦ୍ର ଇତ୍ୟାଦି ଜାରି ରହିଛି । ନୂତନ ପ୍ରଶାସନିକ ଭବନକୁ ଭୁବନେଶ୍ୱର କୃଷି ଭବନ ଭଳି ଏକ ସୁଦୃଶ କୋଠା କରାଯିବା ଉପରେ ନିଷ୍ପତ୍ତି ହୋଇଛି । ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ହଷ୍ଟେଲ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ସିଂହଦେଓ ନିଦେ୍ର୍ଦଶ ଦେଇଛନ୍ତି । ଅପରପକ୍ଷେ ସରକାରଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ବହୁତଳ ବିଶିଷ୍ଟ ଆବାସିକ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକାରୀ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି ।