ଜୀବନରେ ତ୍ୟାଗର ମହତ୍ତ୍ୱ
ସେ ଦିନ ଗୁଡୁଲ ମନରେ ଭାରି ଦୁଃଖ କାରଣ ତାର ମନରେ ଉଙ୍କି ମାରୁଥିବା ପ୍ରଶ୍ନର କେହି ଉତ୍ତର ଦେଉନାହାଁନ୍ତି । ପାଟିର ଦୁଇଟି କାମ ଅଛି ଯଥା କଥା କହିବା ଓ ଖାଦ୍ୟ ଗ୍ରହଣ କରିବା, ନାକର ଦୁଇଟି କାମ ଅଛି ଯଥା ନିଶ୍ୱାସ ନେବା ଓ ପ୍ରଶ୍ୱାସ ତ୍ୟାଗ କରିବା । ଶରୀରରେ ଏପରି ବ୍ୟବସ୍ଥା କାହିଁକି କରାଯାଇଛି? ଗ୍ରହଣ କରୁଥିବା ବେଳେ ତ୍ୟାଗ କରିବା କ'ଣ ନିତ୍ୟାନ୍ତ ଆବଶ୍ୟକ । ଆଖି ଗ୍ରହଣ କରୁଛି କିନ୍ତୁ ସେ କିଛି ତ୍ୟାଗ କରୁନାହିଁ । କାନ ଶୁଣୁଛି କନ୍ତୁ ସେ କିଛି ତ୍ୟାଗ କରୁନାହିଁ । ଚର୍ମ ଗ୍ରହଣ କରୁଛି ଓ ଝାଳ ତ୍ୟାଗ କରୁଛି । ମାଙ୍କୁ ପଚାରିବାରୁ ସେ କହିଲେ ଏ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ ତୁ ବାପାଙ୍କୁ ପଚାର ।
ଗୁଡୁଲ ବାପାଙ୍କୁ ପଚାରିବାରେ ବାପା କହିଲେ, ଭଗବାନ ଶରୀର ପାଇଁ ନିୟମ ଓ ଶୃଙ୍ଖଳା ବିଧି ରଖିଛନ୍ତି । ଶଗଡ଼ ଓ ଗୋଡ଼ି ରେଳ ଧାରଣା ଉପରେ ଚାଲି ପାରିବେ ନାହିଁ । ପ୍ରତି ଯାନ ପାଇଁ ପୃଥକ ପୃଥକ ରାସ୍ତା ରହିଛି । ପ୍ରତିଟି ଯାନ ଆଗକୁ ଆଗକୁ ଗତି କରନ୍ତି ଓ ନିଜର ନିଜର ଗତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି । ବାପା କହିଲେ ଆମେ ଅମ୍ଳଜାନ ଗ୍ରହଣ କରୁ ଓ ଅଙ୍ଗାରକାମ୍ଳ ତ୍ୟାଗ କରୁ । ଆମେ ଖାଦ୍ୟ ଖାଇବା ସହିତ ମଳକୁ ତ୍ୟାଗ କରୁ । ଜିଭର ତ୍ୟାଗ କରିବା ପାଇଁ ରାସ୍ତା ନଥିବା ହେତୁ ବାକ ସଂଯମ କରିବା ପାଇଁ କୁହାଯାଇଥାଏ । ଆଖିର ତ୍ୟାଗ କରିବା ପାଇଁ ରାସ୍ତା ନଥିବା ହେତୁ ଆଖି, କାନକୁ ବନ୍ଦ କରି ଧ୍ୟାନ କରିବା ପାଇଁ କୁହାଯାଇଥାଏ । ଧ୍ୟାନ କଲେ ଚର୍ମପରି ସ୍ପର୍ଶ ନେନ୍ଦ୍ରିୟ ମଧ୍ୟ ତ୍ୟାଗ କରିବାକୁ ବାଧ୍ୟ ହୋଇଥାଏ । ଯେଉଁ ବ୍ୟକ୍ତିମାନେ କେବଳ ଗ୍ରହଣ କରନ୍ତି କିନ୍ତୁ କିଛି ତ୍ୟାଗ କରନ୍ତି ନାହିଁ ତାଙ୍କୁ କୃପଣ କୁହାଯାଏ ।
ଗୁଡୁଲର ସ୍କୁଲରେ କିଛି ଦିନ ପରେ ସନ୍ତରଣ ପ୍ରତିଯୋଗିତା ହେଲା । ସେଥିରେ ଅନେକ ଛାତ୍ରଛାତ୍ରୀ ଭାଗ ନେଲେ । ସନ୍ତରଣ ସମୟରେ ପାଣିରେ ବୁଡ଼ି ମରିଯିବାର ସମ୍ଭାବନା ଥିବାରୁ ସ୍କୁଲରେ ଥିବା ଛୋଟ ପୁଷ୍କରିଣୀକୁ ସଫା କରାଗଲା । ସେହି ପାଣି ଭିତରେ ପିଲାମାଙ୍କର ଗୋଡ଼ ତଳେ ଲାଗି ପାରୁଥିବା ପରି ଚଟାଣ ଥିଲା । କିନ୍ତୁ ଗୁଡୁଲ ପହଁରିବା ଜାଣିନଥିବାରୁ ସେହି ଅଳ୍ପ ପାଣିରୁ ତାକୁ ଉଠାଯାଇ ବାହାରକୁ ଅଣାଗଲା । ସ୍କୁଲ ଶିକ୍ଷକ ତାକୁ କହିଲେ ତତେ ଯଦି ପହଁରା ଜଣା ନଥିଲା ତୁ ଏପରି ପ୍ରତିଯୋଗିତାରେ ଭାଗ ନେଲୁ କାହିଁକି? ଗୁଡୁଲର ଭାରି ମନଦୁଃଖ ହେଲା ଓ ସେ ମାଙ୍କ ନିକଟରେ କିପରି ଭଲ ପହଁରାଳି ହୋଇପାରିବ ସେ କଥା ପଚାରିବାରୁ ସେ କହିଲେ ମୁଁ ପହଁରା ଜାଣିନାହିଁ ତୁ ବାପାଙ୍କୁ ପଚାର । ବାପା କହିଲେ "ପହଁରୁଥିବା ଲୋକକୁ ତୁ ଅନୁଧ୍ୟାନ କଲେ ଦେଖି ପାରିବୁ ସେ ଦୁଇ ହାତରେ ପାଣିକୁ ଆଡ଼ାଇ ଆଗକୁ ଠେଲି ହୋଇ ଯିବା ପାଇଁ ଶରୀର ମାଧ୍ୟମରେ ପ୍ରୟାସ କରେ । ଗୋଡ଼କୁ ମଧ୍ୟ ଜୋରରେ ବାଡ଼ାଇ ପାଣିକୁ ଆଡ଼େଇ ଦେବାକୁ ଚେଷ୍ଟା କରେ । ତେବେ ଯାଇ ଜଣେ ସନ୍ତରଣକାରୀ ଶରୀରକୁ ଆଗକୁ ଠେଲିଥାଇପାରେ । ତେଣୁ ସନ୍ତରଣ ସମୟରେ ଜଳକୁ ତ୍ୟାଗ କରିବାକୁ ପଡ଼ିଥାଏ ବା ଆଡ଼େଇ ଦେବାକୁ ପଡ଼ିଥାଏ । ଏପରି ନକରି ପାରିଲେ ମୃତୁ୍ୟ ଅନିର୍ବାଯ୍ୟ । ଗୁଡୁଲ ସେ ଦିନ ବୁଝି ପାରିଥିଲା ସୀମିତ ଖାଦ୍ୟ ଗ୍ରହଣ କରିବା ସହିତ ତ୍ୟାଗ କରିବା ମଧ୍ୟ ଅନିବାର୍ଯ୍ୟ । କଥା କହିବା ସହିତ ବାକ ସଂଯମ ଅନିବାର୍ଯ୍ୟ । ଦୃଷ୍ଟିଶକ୍ତିର ପ୍ରୟୋଗ ସହିତ ଧ୍ୟାନ ଅନିବାର୍ଯ୍ୟ । କର୍ଣ୍ଣରେ ଶୁଣିବା ସହିତ ତାର ସୀମିତ ପ୍ରୟୋଗ ଅନିବାର୍ଯ୍ୟ । ସେହି ଦିନି ଠାରୁ କାନରେ କର୍ଣ୍ଣଯନ୍ତ୍ର ମାଧ୍ୟମରେ ମୋବାଇଲରୁ ଏଣୁ ତେଣୁ ଶୁଣିବା ବନ୍ଦ କଲା ସିନେମା ଦେଖିବା ତ୍ୟାଗ କଲା ଓ ମୋବାଇଲ ଫୋନର ସଦୁପଯୋଗ କଲା । ଚର୍ମର ସୁରକ୍ଷା କଲା । ବିଭିନ୍ନ ପ୍ରକାର ପ୍ରସାଧାନ ବନ୍ଦ କଲା । ଜିଭ ମାଧ୍ୟମରେ ଖାଦ୍ୟର ସ୍ୱାଦ ଚାଖିବା ସହିତ ସ୍ୱଳ୍ପ କଥା କହିବା ଓ ମଧୁର ସ୍ୱରରେ ବାକ୍ୟାଳାପ ଆରମ୍ଭ କଲା । ଫାଷ୍ଟଫୁଡ ଖାଇବା ଠାରୁ ଦୂରରେ ରହିଲା । ଭୋଜି ଭାତରେ ସୀମିତ ଖାଦ୍ୟ ଗ୍ରହଣ କଲା । ଶରୀରକୁ ଭୋଗ ଠାରୁ ଆଡ଼େଇ ସମୟର ସଦୁପଯୋଗ କରି ବାପା ମାଙ୍କ ସହିତ ମନ୍ଦିରକୁ ଯିବା ଆରମ୍ଭ କଲା । ଭଜନ ଓ ଧ୍ୟାନ ତାକୁ ଧୀରେ ଧୀରେ ଭଲ ଲାଗିଲା ଓ ସେ ଉପଲବ୍ଧି କଲା ଯେ ଭୋଗ ଓ ତ୍ୟାଗ ଗୋଟିଏ ମୁଦ୍ରାର ଦୁଇ ପାଖ ସଦୃଶ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬