ଭାରତ-ମାଳଦ୍ୱୀପ ସମ୍ପର୍କରେ ସୁଧାର
କିଛିମାସ ତଳେ ଭାରତ ଓ ମାଳଦ୍ୱୀପ ସମ୍ପର୍କରେ ଚରମ ତିକ୍ତତା ଲକ୍ଷ୍ୟ କରାଯାଇଥିଲା । ଏପରିକି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ଧମକ ଦେବା ଭଳି କଥା କହିଥିଲେ । "ଆମେ କ୍ଷୁଦ୍ର ରାଷ୍ଟ୍ର ହୋଇପାରୁ, କିନ୍ତୁ କାହାକୁ ଭୟ କରୁନାହୁଁ' ବୋଲି ମୁଇଜୁ ଭାରତ ଉଦେ୍ଦଶ୍ୟରେ କହିଥିଲେ । ଏ ପ୍ରକାରର କହିବା ମୂଳରେ ଚୀନ୍ର କିଛିଟା ପ୍ରରୋଚନା ଏବଂ ପ୍ରେରଣା ରହିଥିଲା । ଜନବହୁଳ ଦେଶ ଭାବରେ ଭାରତ ଏବଂ ଚୀନ୍ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ । ଦେଶରେ ଜନସଂଖ୍ୟା ହେଉଛି ମାନବ ସମ୍ବଳର ଏକ ବଡ଼ ସନ୍ତକ ଏବଂ ମାନବ ସମ୍ବଳକୁ ନେଇ ଯେ କୌଣସି ରାଷ୍ଟ୍ର ସମୃଦ୍ଧିପଥରେ ଆଗେଇ ପାରିବ । ଏ ଦୃଷ୍ଟିରୁ ଚୀନ୍ ହେଉଛି ଭାରତର ଏକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର । ଏମିତି ବି ଚୀନ୍ ଏକ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରେ । ତେଣୁ ସୀମାକୁ ଲାଗିଥିବା ଏକ ଦେଶ ଭାବରେ ଚୀନ୍ ଏବଂ ଭାରତ ମଧ୍ୟରେ ଅନେକ ସମୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଚୀନ୍ ଭାରତକୁ ସମୁଦ୍ର ଭିତରେ ସବୁଦିଗରୁ ଘେରିବାକୁ ଚେଷ୍ଟା କରିଛି । ସେହି ଲକ୍ଷ୍ୟରେ ମାଳଦ୍ୱୀପ ସହିତ ବନ୍ଧୁତାର ହାତ ବଢ଼ାଇ ଭାରତ ସହିତ ଶତ୍ରୁତା କରିବା ପାଇଁ ଚୀନ୍ ଉସୁକେଇଥିଲା । ହେଲେ ପରବର୍ତ୍ତୀ ସମୟରେ ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜୁ ତାଙ୍କର ଭୁଲକୁ ବୁଝି ପାରିଥିଲେ । ମାଳଦ୍ୱୀପକୁ ଭାରତ ଯେଭଳି ସାହାଯ୍ୟ ଦେଉଛି ସେ ପ୍ରକାରର ସାହାଯ୍ୟ ଚୀନ୍ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିଶ୍ୱାସଘାତକତା କରିଲା । ତେଣୁ ବାଧ୍ୟ ହୋଇ ମାଳଦ୍ୱୀପ ଭାରତ ସହିତ ବଢୁଥିବା ସମ୍ପର୍କରେ ଉନ୍ନତି ଆଣି ପୁଣିଥରେ ଭାରତ ସହ ବନ୍ଧୁତାର ହାତ ବଢ଼ାଇଲା । ଏହାର ଫଳସ୍ୱରୂପ ଭାରତର ପ୍ରଧାନମନ୍ତ୍ରୀ ଗତ ୨୫ ତାରିଖ ଦିନ ମାଳଦ୍ୱୀପ ଗସ୍ତରେ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ଗାର୍ଡ୍ ଅଫ୍ ଅନର୍ ଦିଆଯାଇଥିଲା । ମୁଇଜୁ ନିଜେ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ । ମାଳଦ୍ୱୀପ ସହିତ ମୁକ୍ତ ବାଣିଜି୍ୟକ ଚୁକ୍ତି ଉପରେ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ଉଭୟ ଦେଶର କୁଟନୀତିକ ସମ୍ପର୍କ ୬୦ ବର୍ଷରେ ଆସି ପହଞ୍ଚିଛି । ଏହାକୁ ନେଇ ଏକ ଡ଼ାକ ଟିକେଟ୍ ଜାରି କରାଯାଇଛି । ପୂର୍ବରୁ ଭାରତ ୪ ହଜାର ୮୫୦ କୋଟି ଟଙ୍କାର ଋଣ ମାଳଦ୍ୱୀପକୁ ଦେବାର ପ୍ରତିଶ୍ରୁତି ଦେଇଥିଲା ଏବଂ ଏହା କାର୍ଯ୍ୟକାରୀ ହେବ ମଧ୍ୟ ।
ଭାରତ ମହାସାଗର ଭିତରେ ଏକ ଛୋଟିଆ ଦ୍ୱୀପର ଦେଶ ହେଲେ ମଧ୍ୟ ଭାରତ ପାଇଁ ପ୍ରତିରକ୍ଷା ଦୃଷ୍ଟିରୁ ମାଳଦ୍ୱୀପ ସହିତ ବନ୍ଧୁତାର ଗୁରୁତ୍ୱ ରହିଛି । ଅଥଚ ମାଳଦ୍ୱୀପ ବିନା କାରଣରେ ହଠାତ୍ ଚୀନ୍ର ପ୍ରରୋଚନାରେ ଭାରତ ସହିତ ଶତୃ ଭଳି ଆଚରଣ କରିଥିଲା । ବର୍ତ୍ତମାନ ଦୁଇ ଦେଶ ଘନିଷ୍ଠ ପଡ଼ୋଶୀ ଭାବରେ ପୁଣିଥରେ ପୂର୍ବ ସମ୍ପର୍କକୁ ନେଇ ଚଳିବେ ବୋଲି ଆଶା କରାଯାଉଛି । ମାଳଦ୍ୱୀପର ସବୁଠାରୁ ବଡ଼ ଆୟ ହେଉଛି ପର୍ଯ୍ୟଟନ । ମାଳଦ୍ୱୀପର ପର୍ଯ୍ୟଟନକୁ ଭାରତର ହିଁ ସର୍ବାଧିକ ପର୍ଯ୍ୟଟନ ଯାଇଥାନ୍ତି । ମାଳଦ୍ୱୀପ ସହିତ ସମ୍ପର୍କରେ ତିକ୍ତତା ଆସିବା ପରେ ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଯିବା ବନ୍ଦ କରି ଦେଲେ । ଏହା ଫଳରେ ମାଳଦ୍ୱୀପର ଅର୍ଥନୀତି ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଲା । ବନ୍ଧୁତାର ଛଳନା କରୁଥିବା ଚୀନ୍ ସେତେବେଳେ ଆଉ ମାଳଦ୍ୱୀପକୁ ସହାୟତା ଦେଇପାରିଲା ନାହିଁ । ସେ ଯାହା ବି ହେଉ ବର୍ତ୍ତମାନ ଭାରତ ମାଳଦ୍ୱୀପ ସମ୍ପର୍କ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବବତ୍ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଏ । ଭାରତ ଓ ମାଳଦ୍ୱୀପ ସମ୍ପର୍କରେ ବର୍ତ୍ତମାନ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରି ବିଗାଡ଼ିବାକୁ ଚାହିଁଲେ ବି ଆଉ ତାହା ସମ୍ଭବ ହେବ ନାହିଁ । କାରଣ ମାଳଦ୍ୱୀପର ରାଷ୍ଟ୍ରପତି ଚୀନ୍ର ବିଶ୍ୱାସଘାତକତାର ଶିକାର ହୋଇସାରିବା ପରେ ଆଉ ଅନ୍ୟ କୌଣସି ରାଷ୍ଟ୍ରକୁ ଏ କ୍ଷେତ୍ରରେ ବିଶ୍ୱାସ କରିବେ ନାହିଁ ବୋଲି ଆଶା କରାଯାଏ ।