ବାହାଘରରେ କ୍ୟାମେରା ମ୍ୟାନ୍ ହୋଇ ଆସି ଲୁଟିନେଲେ ସବୁ
ଲୁଟର ନୂଆ ଫଣ୍ଡା। କ୍ୟାମେରା ମ୍ୟାନ ହୋଇ ବରପକ୍ଷରୁ ଆସିଲେ । ଆଉ ବରଯାତ୍ରୀ ପହଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ବୈରାଟପୁର ଗାଁରେ । ଗାଁର ସୁଶିଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ ।
ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ନିମନ୍ତେ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କର ବାଇକ ପାଇ ନଥିଲେ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାହା ଦେଖିବା ପରେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ ଭାଙ୍ଗି ବାଇକ ଲୁଟି ନେଇଯାଇଥିବା ଦେଖିବାକୁ ପାଇଥିଲେ । ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକାଇ ରଖିବା ସହିତ ଏନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।