ମହଜୁଦ ଗଦାରୁ ବେଧଡ଼କ ମୋରମ ଲୁଟ୍

ସୁକିନ୍ଦା : ଏହି ତହସିଲ ଆମ୍ପଳୋବା ପଂଚାୟତ ଜାମୁପଶି ଗାଁ ମଙ୍ଗଳା ମନ୍ଦିର ପୋଖରୀ ପାର୍ଶ୍ୱରେ ୩ବର୍ଷ ତଳୁ ଜବତ  ହୋଇ ରହିଥିଲା ଟ୍ରିପ ଟ୍ରିପ ମାଙ୍କଡ଼ାପଥର ଓ ମୋରମ । ହେଲେ ଗଲା କିଛି ଦିନ ହେଲା ମହୁଜଦ ଥିବା ଖଣିଜ ସଂପଦରୁ ବେଧଡ଼କ ମୋରମ  ଲୁଟ୍ ହେବାରେ ଲାଗିଛି । ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଅଭିଯୋଗ କରିବାରେ ରାଜସ୍ୱ ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଲଘୁ ଖଣିଜ ସମ୍ପଦକୁ ଜବତ କରାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ, ୩ବର୍ଷ ତଳେ ଜାମୁପଶି ଗାଁର ଉକ୍ତ ଜମିରେ ୨୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପୋଖରୀ ଖୋଳା ଯାଇଥିଲା । ହେଲେ ସଂପୃକ୍ତ ଠିକାଦାର ଏଠାରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ୍ ଉତୋଳନ କରିଥିଲେ । ଏସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପରେ ତକôାଳୀନ ତହସିଲଦାର ସଦଳବଳ ଜାମୁପଶି ଗାଁରେ ପହଁଚି ସରଜମିନ ତଦନ୍ତ କରିଥିଲେ । ଏକାଧିକ ଗ୍ରାମବାସୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ଏଠାରୁ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଉତୋଳନ ଓ ବିକ୍ରି ମସୁଧା କରାଯାଉଥିବା ଜଣାପଡ଼ିବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଏସବୁକୁ ଜବତ କରାଯାଇ ସଂପୃକ୍ତ ଠିକାଦାରଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଥିଲା । ହେଲେ ଏଯାବତ୍ ଜରିମାନା ଅନାଦେୟ ରହିଥିବା ସ୍ଥଳେ ପୁଣିଥରେ ବେଧଡ଼କ ମୋରମ୍ ଲୁଟ୍ ଯୋଜନା କରାଯାଇଥିଲା । ଏଠାରୁ ମୋରମ୍ ଉଠାଯାଇ ଏକ ନିର୍ମାଣାଧୀନ ସଡ଼କରେ ବିଛା ଯାଉଥିବା ଦେଖାଯାଇଥିଲା । ଏସଂପର୍କରେ ଗ୍ରାମବାସୀ ରାଜସ୍ୱ ବିଭାଗ ଓ ପୁଲିସକୁ ଜଣାଇଥିଲେ । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଉଥରେ ସରଜମିନ ତଦନ୍ତ କରାଯାଇ ମୋରମ୍ ଲୁଟ୍ ହେଉଥିବା ଜାଣି ଏସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା । ସୁକିନ୍ଦା ପୁଲିସ ପହଁଚି ମୋରମ୍ ଉଠାଣକୁ ବନ୍ଦ୍ କରିଥିଲା । ଏସଂପର୍କରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଘଟଣାକ୍ରମକୁ ନେଇ ବିଭାଗୀୟ ତଦନ୍ତ କରାଯାଇଥିବା କହିଥିଲେ । ଠିକାଦାର ଏଠାରେ ବେଆଇନ କାର୍ଯ୍ୟ କରିଥିବା ଦେଖାଯାଇଥିବା ସେ କହନ୍ତି । ସେହିପରି ୩ବର୍ଷ ତଳୁ ଧାର୍ଯ୍ୟ କରାଯାଇଥିବା ଜରିମାନା ଏଯାବତ୍ ଆଦାୟ ହୋଇନଥିବାରୁ ଏହାକୁ ନେଇ ଯାଜପୁର ଖଣି ଉପନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ବୋଲି ରାଜସ୍ୱ ବିଭାଗର ଜଣେ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ଓପିଡିଆର ଆକ୍ଟ୍ ଆଧାରରେ ସଂପୃକ୍ତ ଠିକାଦାରଙ୍କ ମନୋମୁଖୀ ଆଚରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ସୂଚନା ମିଳିଛି ।