ମନମୋହନଙ୍କ ବେକରେ ‘ଚକ୍ର’

ମନମୋହନଙ୍କ ବେକରେ ‘ଚକ୍ର’


ଭୁବନେଶ୍ୱର : ଆଉ କିଛିଦିନ ପରେ ବିଜେପି ରାଜ୍ୟ ସଭାପତି ଚୟନ ହେବ  । ଏହି ରେସ୍‌ରେ ଆଗରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ୍‌  । ତାଙ୍କୁ ପୁଣିଥରେ ଦଳ ରିପିଟ୍‌ କରିବ ବୋଲି ଚର୍ଚ୍ଚା ହେଉଛି  । କିନ୍ତୁ ଏଭଳି ସମୟରେ ମନମୋହନଙ୍କ ପାଇଁ ଅକଳିଆ ପରିସ୍ଥିତି ସୃଷ୍ଟି ହୋଇଛି  । ତାଙ୍କ ବେକରେ ଘୂରିଛି ରାଜା ‘ଚକ୍ର’  । ଖାଲି ମନମୋହନ ନୁହଁନ୍ତି ବିଜେପି ସରକାର ବି ଅକଳରେ ପଡ଼ି ଯାଇଛନ୍ତି  । ନିକଟରେ ରାଜାର ଓକିଲ ସୀତାଂଶୁ ଦ୍ୱିବେଦୀ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ସେ ସିଧାସଳଖ ମନମୋହନଙ୍କୁ ନିଶାନା ସାଧିଛନ୍ତି  । ରାଜା ଚକ୍ର ଠାରୁ ମନମୋହନ କୁଆଡେ଼ ୧ କୋଟି ଟଙ୍କା ନେଇଛନ୍ତି  । ତାହା ପୁଣି ଆକାଉଣ୍ଟରେ  । ନୂଆ ସରକାର ଶପଥ ଉତ୍ସବ ପାଇଁ ବି ବିଜେପି ନେତା ୧୪ ଲକ୍ଷ ଟଙ୍କା ନେଇଛନ୍ତି  । ଯାହାକି ବିଜେପିରେ କମ୍ପନ ସୃଷ୍ଟିକରିଛି  । ମନମୋହନ ଏଭଳି ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେବି ତାଙ୍କ ଆସନ ଟଳମଳ ହୋଇଯିବ ବୋଲି କୁହାଯାଉଛି  । ତାଙ୍କ ବିରୋଧୀମାନେ ପେପର କଟିଂ ନେଇ ଦିଲ୍ଲୀ ଗଲେଣି  । ଅମିତ୍‌ ଶାହା, ଜେପି ନଡ୍ଡା ଓ ନରେନ୍ଦ୍ର ମୋଦିଙ୍କୁ ଏହି ଖବର ଜଣାଇ ଦିଆଯିବ  । ରାଜା ଚକ୍ରକୁ ନେଇ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଥିବାବେଳେ ହଠାତ୍‌ ବିଜେପିରେ ବି ତାହା ଆଲୋଡ଼ନ ସୃଷ୍ଟିକରିଛି  । ଏଭଳି ସ୍ଥିତିରୁ ମୁକଳିବା ପାଇଁ ମନମୋହନ ଏବେ ବାଟ ଖୋଜୁଛନ୍ତି  । ଗୋଟିଏ ପଟେ ମନମୋହନ ନିଜକୁ ସଫା କହିବା ସହ ଆକାଉଣ୍ଟ ଯାଞ୍ଚ ପାଇଁ ଆହ୍ୱାନ ଦେଇଛନ୍ତି  । ସେପଟେ ସୀତାଂଶୁଙ୍କ ଭଳି ଜଣେ ବଡ଼ ଓକିଲ ଏଭଳି ଖାମଖିଆଲି ମନ୍ତବ୍ୟ ଦେବେନାହିଁ କିଛି ଲୋକ କହୁଛନ୍ତି  । ତାଙ୍କ ପାଖରେ ନିଶ୍ଚିତ କିଛି ତଥ୍ୟ ପ୍ରମାଣ ରହିଛି  । କାହିଁକିନା ସେ ରିଜୋଲୁସନ ଓ ଟଙ୍କା ଦେବାର ତାରିଖ କଥାବି ଜଣାଉଛନ୍ତି  । ଯେଉଁଥିପାଇଁ ମନମୋହନ ହରଡ଼ ଘଣାରେ ପଡ଼ି ଯାଇଛନ୍ତି  । ବିନା ନିଅାଁରେ ଧୂଆଁ ବାହାରିବନି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । ବିଜେପିର ଗୋଟିଏ ଗୋଷ୍ଠୀ ବେଶ୍‌ ଖୁସି ହୋଇ ଯାଇଛନ୍ତି  । ଏହାଦ୍ୱାରା ମନମୋହନଙ୍କ ସଭାପତି ପଦ ସହ ପତିଆରା ବି ଚାଲିଯିବ  । ସେପଟେ ସରକାର ବି ଚିନ୍ତାରେ ପଡ଼ି ଯାଇଛନ୍ତି  । ଯଦି ନିଜ ଦଳର ଲୋକେ ରାଜା ଚକ୍ରଠାରୁ ଟଙ୍କା ନେଇଥିବେ ତେବେ ସରକାର ବି ବଦନାମ ହୋଇଯିବେ  । କେନ୍ଦୁଝରର ବିଜେପି ନେତାମାନେ ରାଜାଙ୍କ ଠାରୁ ଟଙ୍କା ଆଣିଥିବାର ଅଭିଯୋଗ ହେଉଥିବାରୁ ମୁଖ୍ୟମନ୍ତ୍ରୀ ବି ଅକଳରେ ପଡ଼ିଯିବା ସ୍ୱାଭାବିକ  । ଆଗାମୀ ଦିନରେ ଏହି ମାମଲା କେଉଁ ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା  ।