ସୀମାନ୍ତରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ୩୦ ଜଣ ମାଓବାଦୀ ଅ ।ତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଛତିଶଗଡର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀ ନିକଟରେ ୩୦ ମାଓବାଦୀ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩୦ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଥିବା ବେଳେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟରତ ଥିଲେ । ମାଓବାଦୀମାନେ ପୂର୍ବରୁ ବହୁ ବଡ ହିଂସାକାଣ୍ଡରେ ଜଡିତ ରହିବା ସହ ଏମାନଙ୍କ ମଧ୍ୟରେ କିଛି ମାଓବାଦୀ ଅନେକ ହିଂସାକାଣ୍ଡର ନେତୃତ୍ୱ ନେଇଥିବା ଜଣାପଡିଛି । ମାଓ ସଙ୍ଗଠନରେ ରହି ମାଓବାଦୀମାନେ ଅନେକ ସମୟରେ ବଡ ବଡ କ୍ୟାଡର ମାଓବାଦୀଙ୍କ ଶୋଷଣର ଶିକାର ହେଉଥିଲେ । ଆତ୍ମସମର୍ପଣ କରିଥିବା ୩୦ ଜଣ ମାଓବାଦୀଙ୍କ ମଧ୍ୟରୁ ମିଟକି କାକେମ ଓରଫ ସରିତା, ମୁରି ମୁହଣ୍ଡା ଓରଫ ସୁଖମାଟିଙ୍କ ନାମରେ ୮ଲକ୍ଷ ଟଙ୍କାର ଇନାମ ରହିଥିଲା । ସେହିପରି ରଜିତା ଭେଟ୍ଟି, ଦେବା କବାସୀ, ଆୟତା ସୋଡି, ସିନୁ ନାମକ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିଲା । ଅନୁରୂପକ ଭାବେ ମୁନ୍ନା ହେମଲା, ଆୟୁତୁ ମିଡ଼ିଆମ୍, ଆୟୁତୁ କରାମ୍ ନାମକ ମାଓବାଦୀଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିବା ଜଣାପଡିଛି । ତେବେ ସମସ୍ତ ୩୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ସରକାରଙ୍କ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।