ସର୍ପ ଦଂଶନରେ ଜଣେ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡିଛି । ସୂଚନା ମୁତାବକ ପରସନପଲ୍ଲୀ ଗ୍ରାମର ୪୫ ବର୍ଷିୟ ଭୀମା ମାଡି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଖାଇସାରି ନିଜ ଶୋଇଥିଲେ । ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଭୀମାର ସ୍ତ୍ରୀ ସୁକି ଭୀମା ସହ ପରିବାରର ସ୍ଥିତିକୁ ନେଇ ଆଲୋଚନା କରିଥିବା କହିଛନ୍ତି । ତେବେ ସକାଳ ପ୍ରାୟ ୬ ଟା ବେଳେ ସୁକି ନିଦରୁ ଉଠି ଭୀମା ଶୋଇଥିବା ରୁମକୁ ଯାଇ ନିଦରୁ ଉଠାଇଥିଲେ । ଏହି ସମୟରେ ଭୀମା କୌଣଷି ପ୍ରତିକ୍ରିୟା ନଦେବାରୁ ସୁକି ଆଖପାଖ ଲୋକଙ୍କୁ ଡାକି ଭୀମାର ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ କହିଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ଭୀମାର ମୁହଁରେ ଲାଗିଥିବା ଫେଣ ଓ ବାମ ଗୋଡର ପାଦରେ ଥିବା କ୍ଷତ ଚିହ୍ନ ଦେଖି ଭୀମାକୁ ସାପ କାମୁଡିଥିବା ଜାଣିପାରି ଥିଲେ । ଏ ନେଇ ସୁକି ପଡିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପଡିଆ ପୋଲିସ ପକ୍ଷରୁ ଭୀମାର ମୃତ ଶରିରର ପଞ୍ଚନାମା କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ନେଇ ପଡିଆ ଥାନାରେ ଅପମୃତୁ୍ୟ ମାମଲା ସଂଖ୍ୟା ୧୩/୨୦୨୫ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଭୀମାର ମୃତୁ୍ୟ ପରେ ପୁରା ପରିବାର ବୋଝ ସୁକି ଉପରେ ରହିଥିବା ବେଳେ ପୁରା ପରିବାର ଲୋକ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳୁଛି । ଏଣୁ ସରକାରଙ୍କ ପକ୍ଷରୁ ସୁକିକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।