ବଢୁଛି ନକଲି ଓ ନିମ୍ନମାନର ଔଷଧର କାରବାର  : ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବ୍ୟବସାୟୀ 

ଦଶରଥପୁର:  ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ନୀରବତା ପାଇଁ ବଜାରରେ ନକଲି ଓ ନିମ୍ନମାନର ଔଷଧ ବିକ୍ରି ବଢିବାରେ ଲାଗିଛି । ତଦାରଖ, ଚଢାଉ ଅଭାବରୁ ଔଷଧ ବ୍ୟବସାୟୀ ମାଲେ ମାଲ ହେଉଛନ୍ତି । ଛକ ବଜାରରେ ମାଳ ମାଳ ଔଷଧ ଦୋକାନ । ନିୟମ କାନୁନକୁ ଅଣଦେଖା କରି ଔଷଧ ଦୋକାନୀ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ନକଲି ଓ ନିମ୍ନମାନର ଔଷଧ ସେବନ ଯୋଗୁଁ ଉପଶମ ମିଳୁନି । ଆରୋଗ୍ୟ ବଦଳରେ ଅର୍ଥ ଶ୍ରାଦ୍ଧ କରି ରୋଗୀ ଶୋଷିତ ହେଉଛି । ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଗରୀବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବରଦାନ ସଦୃଶ । ଜନ ଔଷଧି କେନ୍ଦ୍ରରେ ଜେନେରିକ ଔଷଧ ୫୦ ରୁ ୯୦ପ୍ରତିଶତ ଶସ୍ତା ଦରରେ ମିଳିଥାଏ । ମାତ୍ର କେତେକ ଅସାଧୁ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରରେ ଅନ୍ୟ କମ୍ପାନୀ ପ୍ରସ୍ତୁତ ଔଷଧ ଅଧା ଦାମରେ (ଲେଖାଥିବା ମୂଲ୍ୟ) ବିକ୍ରି କରୁଥିବାର ଲକ୍ଷ୍ୟ କରାଯାଇଛି । ବିଶେଷ ଭାବରେ ଗ୍ରାମାଂଚଳରେ ନକଲି ଔଷଧ ବିକ୍ରି ଅଧିକ ହେଉଛି । କିଛି ଡାକ୍ତରଙ୍କୁ ହାତ କରି ନକଲି ଔଷଧ ବିକ୍ରି କରୁଥିବା ଦୋକାନୀ ବ୍ୟବସାୟ ଚଳାଇଛନ୍ତି । 
ଭେଷଜ ନିରୀକ୍ଷକଙ୍କୁ କେବେ ଔଷଧ ଦୋକାନ ତଦାରଖ କରିବା ନଜରରେ ପଡେନି । ଫଳରେ ନକଲି ଔଷଧର କାରବାର ଏବେ ସୀମା ଟପିଛି । ଏହି ଔଷଧ ସେବନ କରି ଲୋକେ ଆରୋଗ୍ୟ ହେବେ କଣ, କିଛିଦିନ ପରେ ସେମାନଙ୍କ ରୋଗ ଆୟତ ବାହାରକୁ ଯାଉଛି । କେତେକ କ୍ଷେତ୍ରରେ ଜୀବନ ବି ଚାଲିଯାଉଛି । ମଧୁମେହ, ଉଚ୍ଚରକ୍ତ ଚାପ, କିଡନୀ, ହୃଦ ରୋଗ ଭଳି ମାରାତ୍ମକ ରୋଗର ଦାମୀ ଔଷଧ ଏଠାରେ ନକଲି ଭାବେ ମିଳୁଛି । ଅସଲି ମୂଲ୍ୟ ଦେଇ ରୋଗୀ ନକଲି ନିମ୍ନମାନର ଔଷଧ ଖାଇ ଚାଲିଛନ୍ତି । ଦଶରଥପୁର ବ୍ଲକରେ ଥିବା ଔଷଧ ଦୋକାନ ମଧ୍ୟରୁ ୧୫ ରୁ ଅଧିକ ଔଷଧ ଦୋକାନରେ ଏଭଳି ଔଷଧ କାରବାର ହେଉଥିବା ଅଭିଯୋଗ ହେଉଛି । ଏହି ନକଲି ଔଷଧ ପଶ୍ଚିମବଙ୍ଗ, ବିହାର, ବାଙ୍ଗାଲୋର, ଦିଲ୍ଲୀରୁ ଆସୁଥିବାର କୁହାଯାଏ । ବୈଧ ଲାଇସେନ୍ସ ଓ ଫାର୍ମାସିଷ୍ଟ ନଥାଇ ଔଷଧ ବିକ୍ରି ଆଉ ଚିକିତ୍ସା ମଧ୍ୟ କରାଯାଉଛି । ଫାର୍ମାସିଷ୍ଟ ପ୍ରମାଣପତ୍ର ଆଳରେ ଲକ୍ଷଲକ୍ଷ ଟଙ୍କାର ନକଲି ଔଷଧ ବିକ୍ରି ହେଉଛି । ଏତେ ସବୁ ବେନିୟମ କାର୍ଯ୍ୟ ଚାଲୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ନିୟମିତ ଭାବେ ଔଷଧ ଦୋକାନ ଗୁଡ଼ିକ ଯାଂଚ କରାଗଲେ ସୁଫଳ ମିଳନ୍ତା ବୋଲି ବୃଦ୍ଧିଯିବି ମାନେ ମତ ରଖିଛନ୍ତି ।