ମହଙ୍ଗା ହେବ କ୍ୟାନସର୍, ମଧୁମେହ ଔଷଧ
ନୂଆଦିଲ୍ଲୀ: ମହଙ୍ଗା ହେବ ସରକାରୀ ନିୟନ୍ତ୍ରଣାଧୀନ ଔଷଧ ସମେତ କ୍ୟାନସର, ମଧୁମେହ ଓ ହୃଦରୋଗ ଭଳି ଦୂରାରୋଗ୍ୟ ଔଷଧ ମୂଲ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହିସବୁ ଔଷଧ ମୂଲ୍ୟରେ ୧.୭ ପ୍ରତିଶତ ବୃଦ୍ଧି ହୋଇପାରେ । ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (ଏଆଇଓସିଡି)ର ସାଧାରଣ ସମ୍ପାଦକ ରାଜୀବ ସିଂଘଲ କହିଛନ୍ତି ଯେ, ଔଷଧ ଶିଳ୍ପରେ କଞ୍ଚାମାଲ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ବିଭିନ୍ନ ଔଷଧ କମ୍ପାନୀମାନଙ୍କୁ ଆଶ୍ୱସ୍ତ ପ୍ରଦାନ କରିବ । ତେବେ ଏହି ନୂତନ ମୂଲ୍ୟର ଔଷଧ ବଜାରକୁ ଆସିବାକୁ ୨ରୁ ୩ମାସ ସମୟ ଲାଗିବ । କାରଣ ବର୍ତ୍ତମାନ ବଜାରରେ ପୁରୁଣା ମୂଲ୍ୟରେ ୯୦ ଦିନର ଔଷଧ ମହଜୁଦ ରହିଛି । ଏହିସବୁ ଔଷଧ ବିକ୍ରି ହେବା ପରେ ନୂତନ ମୂଲ୍ୟର ଔଷଧ ଉପଲବ୍ଧ ହେବ ବୋଲି ସିଂଘଲ କହିଛନ୍ତି ।
ରସାୟନ ଏବଂ ସାର ଅଧ୍ୟୟନ ଉପରେ ସଂସଦୀୟ ସ୍ଥାୟୀ କମିଟି କହିଛି ଯେ, ଔଷଧ କମ୍ପାନୀଗୁଡ଼ିକ ଅନୁମୋଦିତ ମୂଲ୍ୟ ଅତିକ୍ରମ କରି ‘ଔଷଧ ମୂଲ୍ୟ ନିର୍ଦ୍ଧାରଣ ନିୟମ’କୁ ବାରମ୍ବାର ଉଲ୍ଲଂଘନ କରୁଛନ୍ତି । ସେହିପରି କମିଟି କହିଛି ଯେ ଭାରତରେ ଔଷଧ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ନାସନାଲ ଫାର୍ମାସିଟୁ୍ୟକାଲ୍ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ମଧ୍ୟ ଔଷଧ କମ୍ପାନୀ ଗୁଡ଼ିକର ଏହିଭଳି ୩୦୭ଟି ତ୍ରୁଟି ଦର୍ଶାଇଛି । ସେହିପରି ଡିପିସିଓ (ଡ୍ରଗ୍ ପ୍ରାଇସ୍ କଣ୍ଟ୍ରୋଲ ଅର୍ଡର), ୨୦୧୩ ଅନୁଯାୟୀ ସମସ୍ତ ଔଷଧ କମ୍ପାନୀ ଏବଂ ବିକ୍ରେତାମାନେ ଏନ୍ପିପିଏ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ଔଷଧ ବିକ୍ରି କରିବା ଆବଶ୍ୟକ ବୋଲି ଦାବି କରାଯାଇଛି । ତେବେ ଅତ୍ୟାବଶ୍ୟକ ଔଷଧ ତାଲିକା, ୨୦୨୨ ଅନୁସାରେ ଔଷଧ ମୂଲ୍ୟରେ ସାମାନ୍ୟ ହ୍ରାସ କରାଯାଇଥିବାରୁ ପ୍ରାୟ ୩,୭୮୮ କୋଟି ଟଙ୍କାର ବାର୍ଷିକ ସଞ୍ଚୟ ରୋଗୀଙ୍କ ପାଇଁ ସଂରକ୍ଷଣ କରାଯାଇ ପାରିଥିଲା ବୋଲି ରସାୟନ ଏବଂ ସାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।