ପାକ୍ ସଂସଦରେ ବିରୋଧୀଙ୍କ ବୟାନ... ପାଣି ନ ମିଳିଲେ ଭୋକରେ ମରିବା


ନୂଆଦିଲ୍ଲୀ : ଜଳ ଯୋଗାଣର ବିକଳ୍ପ ବ୍ୟବସ୍ଥା କର, ନ ହେଲେ ଆଗାମୀ ଦିନରେ ଭୋକରେ ଛଟପଟ ହୋଇ ମରିବା । ପାକ୍ ସଂସଦରେ ଆଜି ବିରୋଧୀଦଳ ପାକିସ୍ତାନ୍ ତେହେରିକ-ଏ-ଇନ୍ସାଫ୍ (ପିଟିଆଇ)ର ସାଂସଦ ସୟଦ ଅଲ୍ଲୀ ଜଫର୍ଙ୍କ ବୟାନ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ପହେଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ୍ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଘଟଣାକୁ ମାସେ ପୂରିଛି । ଆଗକୁ ଚାଷ ଋତୁ ଥିବାରୁ ଏବେଠାରୁ ପ୍ରମାଦ ଗଣିଲାଣି ପାକିସ୍ତାନ୍ । ବାହାର ଦେଶ ନଦୀର ତିନି ଚତୁର୍ଥାଂଶ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ପାକିସ୍ତାନ୍କୁ କେବଳ ସିନ୍ଧୁ ନଦୀ ଯୋଗାଉ ଥିଲା ୮୦% ପାଣି । କିନ୍ତୁ ଚୁକ୍ତି ବାତିଲ ପରଠାରୁ ଏବେ ଆଗାମୀ ଦିନରେ କୃଷି କାର୍ଯ୍ୟ ତଥା ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ପାଣିର ବିକଳ୍ପ ବ୍ୟବସ୍ଥା ପାକିସ୍ତାନ୍ କିପରି କରିବ ତାହାକୁ ନେଇ ଚିନ୍ତିତ । ପାକିସ୍ତାନ୍ର ପ୍ରତି ୧୦ଜଣରେ ୯ଜଣ ଲୋକ ଅନ୍ତର୍ଜାତୀୟ ନଦୀ ଅବବାହିକା ପାଣି ଉପରେ ନିର୍ଭରଶୀଳ । ଏଣୁ ଏବେଠୁ ପାଣିର ବିକଳ୍ପ ବ୍ୟବସ୍ଥା କରା ନ ଗଲେ ଆସନ୍ତା ଦିନରେ ଚାଷ ତ ପ୍ରଭାବିତ ହେବ ତା’ ସାଙ୍ଗକୁ ପିଇବାକୁ ମଧ୍ୟ ପାଣି ମିଳିବା କଷ୍ଟକର ହୋଇପଡ଼ିବ ବୋଲି ଜଫର୍ କହିଛନ୍ତି ।
ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ, ପାକିସ୍ତାନ୍ର ୯୦% କୃଷି ବାହ୍ୟ ନଦୀ ଅବବାହିକାର ପାଣି ଉପରେ ନିର୍ଭରଶୀଳ । ଖାଲି ଚାଷ କାହିଁକି ପାକିସ୍ତାନ୍ରେ ଚାଲିଥିବା ହାଇଡ୍ରୋ ପାୱାର୍ ପ୍ରୋଜେକ୍ଟ, ଚାଷକୁ ପାଣି ଯୋଗାଉଥିବା ଡ୍ୟାମ୍ ଏହି ସିନ୍ଧୁ ନଦୀରେ ହିଁ ନିର୍ମିତ ହୋଇଛି । ଆଉ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରି ଭାରତ ପାକିସ୍ତାନରେ ‘ପାଣି ବୋମା’ ପକାଇଛି ବୋଲି ଜଫର୍ କହିଛନ୍ତି । ପହେଲଗାମ ଆତଙ୍କୀ ଆକ୍ରମଣର ଜବାବ ଭାରତ ଭାବିଚିନ୍ତି ‘ପାଣିବୋମା’କୁ ବ୍ୟବହାର କରିଛି ବୋଲି ଜଫର୍ କହିଛନ୍ତି । ତେବେ ଭାରତରୁ ଆରମ୍ଭ ହୋଇଥିବା ସିନ୍ଧୁ ନଦୀ ପାକିସ୍ତାନ୍ରେ ମୁଖ୍ୟ ତିନି ନଦୀ ସିନ୍ଧୁ, ଝେଲମ୍ ଏବଂ ଚେନାବ ନଦୀ ସ୍ରୋତର ମଧ୍ୟ କାରଣ ହୋଇଥିଲା । ଏହି ନଦୀଅବବାହିକାର ୮୦% ପାଣିକୁ ବ୍ୟବହାର କରି ପାକିସ୍ତାନ୍ ତା’ର କୃଷି ପାଇଁ ଜଳସେଚନ, ପାନୀୟଜଳ ଭଳି ଭିତ୍ତିଭୂମିକୁ ସୁଦୃଢ଼ କରିଥିଲା । କିନ୍ତୁ ସିନ୍ଧୁ ପାଣି ବନ୍ଦ ପରେ ଏବେ ଏହି ପ୍ରକଳ୍ପଗୁଡ଼ିକ ଶୁଖିଲା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସାଟେଲାଇଟ୍ ଫଟୋରୁ ଏହା ସ୍ପଷ୍ଟ ହୋଇଛି । ଏଣୁ କଳେକଳେ କୌଶଳେ ଏହି ସମସ୍ୟାର ସମାଧାନ ନିହାତି ଜରୁରୀ ବୋଲି ଜଫର୍ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୨ରେ ପହେଲଗାମ ଆତଙ୍କୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତୁ୍ୟ ପରେ ପ୍ରତିଶୋଧ ସ୍ୱରୂପ ଭାରତ ପ୍ରଥମେ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଥିଲା । ଫଳରେ ଏଘଟଣାକୁ ନେଇ ପାକିସ୍ତାନ୍ ନେତା ମନ୍ତ୍ରୀମାନେ ନାନା ବୟାନ ବାଜି କରିବା ସହ ପାଣି ବନ୍ଦ କଲେ ରକ୍ତ ବୋହିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା । ଖାଲି ଏତିକି ନୁହଁ ପାକିସ୍ତାନ୍ ସହ ସମସ୍ତ ପ୍ରକାରର ବାଣିଜ୍ୟ କାରବାରକୁ ମଧ୍ୟ ଭାରତ ରଦ୍ଦ କରିଥିବାରୁ ପାକିସ୍ତାନ୍ ଘୋର ଅର୍ଥନୀତି ସମସ୍ୟାର ସମ୍ମୁଖୀନ ହୋଇଛି । ସେହିପରି ସାମୁଦ୍ରିକ ପଥ ସାଙ୍ଗକୁ ଆକାଶମାର୍ଗକୁ ମଧ୍ୟ ପାକିସ୍ତାନ୍ ପାଇଁ ସିଲ୍ କରାଯାଇଛି । ଆଉ ତା ସାଙ୍ଗକୁ ଅପରେସନ୍ ସିନ୍ଦୂର କରି ଭାରତ ପହେଲଗାମ ଆକ୍ରମଣର ଦୃଢ଼ ପ୍ରତିଶୋଧ ନେଇଛି ।