ବିଧାନସଭାରୁ ମାଷ୍ଟରକ୍ୟାଣ୍ଟିନ୍ ହାଇଡ୍ରାମା


 ଭୁବନେଶ୍ୱର:  ବିଧାନସଭା ଆଗରେ ଗତକାଲି ଠାରୁ ନେଇ ଆଜି ପର୍ଯ୍ୟନ୍ତ ହାଇଡ୍ରାମା ଦେଖିବାକୁ ମିଳିଛି  । ଗତକାଲି ହାଇଡ୍ରାମା ଯେଉଁଠି ସରିଥିଲା ଆଜି ଠିକ୍ ସେଇଠୁ ଆଉ ଏକ ଦୃଶ୍ୟ ଆରମ୍ଭ ହୋଇଥିଲା  । ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ପୁଲିସ ମୁହାଁମୁହିଁ ହୋଇଥିଲେ । ସାରା ରାତି କଂଗ୍ରେସ ବିଧାୟକମାନେ ରାଜରାସ୍ତାରେ କାଟିଥିଲେ  । ଆଜି ସକାଳୁ ସକାଳୁ ମଧ୍ୟ ବେଶ୍ ଉଷ୍ମତା ପରିଲକ୍ଷିତ ହୋଇଥିଲା  । ସ୍ଥିତି ଏମିତି ହୋଇଥିଲାଯେ, ପୁଲିସଙ୍କ ସହ ଖାଲି କଂଗ୍ରେସ ବିଧାୟକ କି ନେତା ନୁହଁନ୍ତି ବିଜେଡ଼ି ବିଧାୟକମାନଙ୍କ ସହ ଠେଲାପେଲାର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା  । 
ବିଧାନସଭା ପାଇଁ ଆଜି କଂଗ୍ରେସ ବିଧାୟକ ଓ ନେତାମାନଙ୍କୁ ପୁଲିସ୍ ସେଠାରୁ ଉଠାଇ ନେଇଥିଲା  । ପରେ କଂଗ୍ରେସ ବିଧାୟକମାନେ ଏକ ର୍ୟାଲିରେ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବିଧାନସଭା ଅଭିମୁଖେ ବାହାରିଥିଲେ । ବାଟରେ ଥିବା ସବୁ ବ୍ୟାରିକେଡ଼କୁ ସେମାନେ ଭାଙ୍ଗି ଦେଇଥିଲେ  । ତେବେ ବିଧାୟକମାନେ ନିଲମ୍ବିତ ହୋଇଥିବାରୁ ସେମାନଙ୍କୁ ପୁଲିସ୍ ଛାଡ଼ିନଥିଲା  । ଫଳରେ କଂଗ୍ରେସ ବିଧାୟକ, ନେତାଙ୍କ ସହ ପୁଲିସର ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା  । ଏମିତିକି ବିଧାୟକ ସାଗର ଦାସ ଘଣ୍ଟରେ ପିଟିପିଟି ତାଲା ଭାଙ୍ଗି ଦେଇଥିଲେ  । ଶେଷରେ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ନିଲମ୍ବିତ ହୋଇନଥିବାରୁ ସେମାନଙ୍କୁ ଭିତରକୁ ପୁଲିସ୍ ଛାଡ଼ିଥିଲା  । ସେପଟେ ବିଧାନସଭାର ପ୍ରଶ୍ନକାଳ ବୟକଟ କରି ବିଜେଡ଼ି ବିଧାୟକମାନେ ରାଲି କରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅଭିମୁଖେ ବାହାରିଥିଲେ  । କିନ୍ତୁ ଗେଟ୍ ମୁହଁରେ ପୁଲିସ ସେମାନଙ୍କୁ ଛାଡ଼ିନଥିଲା  । ଗୋଟିଏ ପଟେ କଂଗ୍ରେସ ବିଧାୟକ ଓ ଅପରପକ୍ଷରେ ବିଜେଡ଼ି ବିଧାୟକ ହାଲାବୋଲ କରିଥିଲେ  । ଏଭଳି ସ୍ଥିତିରେ ପୁଲିସ୍ କ’ଣ କରିବ ଭାବି ବୁଦ୍ଧି ଅକଲଗୁଡୁମ ହୋଇ ଯାଇଥିଲା  । ଧସ୍ତାଧସ୍ତିରେ ବିଜେଡ଼ି ବିଧାୟକ ଓ କଂଗ୍ରେସ ବିଧାୟକମାନେ ଆହତ ହୋଇଥିବା ବି ଅଭିଯୋଗ ଆସିଛି  । ବେଶ୍ କିଛି ସମୟ ବିଜେଡ଼ି ବିଧାୟକମାନେ ଠିଆ ହେବା ପରେ ସେମାନଙ୍କୁ ପୁଲିସ୍ ବାହାରକୁ ଛାଡ଼ିଥିଲା  । ବିଜେଡ଼ି ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନରୁ ଫେରିବା ପରେ ବି ବିଧାନସଭା ଭିତରକୁ ଆସିବା ପାଇଁ କସରତ କରିବାକୁ ପଡ଼ିଥିଲା  । ଏହିପରି ଭାବେ ଆଜି ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ସହ ପୁଲିସକୁ ମୁହାଁମୁହିଁ ହେବାକୁ ପଡ଼ିଥିଲା  । ଆଜି ଦିନ ତମାମ କଂଗ୍ରେସ ଓ ପୁଲିସ ସାମ୍ନାସାମ୍ନି ହୋଇଥିଲେ  । ସ୍ଥିତି ଏମିତି ହୋଇଥିଲାଯେ, କଂଗ୍ରେସ କର୍ମୀମାନେ ଅଧିକ ଉଗ୍ର ହୋଇଥିଲେ  । ଏସିପି ନରସିଂହ ଭୋଳଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ ବି କରିଥିଲେ  । ତାଙ୍କର କଲର ଧରିବା ସହ ଟୋପିବି କାଢ଼ି ଦେଇଥିଲେ  । ସେହିପରି ମହିଳା କଂଗ୍ରେସର କିଛି ନେତ୍ରୀ ପୁଲିସର କଲର ଧରିବା ପର୍ଯ୍ୟନ୍ତ କଥା ଯାଇଥିଲା  । ପୁଲିସ୍ ମଧ୍ୟ ସେମାନଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଥିଲା  । ନେତାମାନଙ୍କୁ ଭ୍ୟାନରେ ପୂୂରାଇ ପୁଲିସ୍ ନେଇଯାଇଥିଲେବି ସୁରକ୍ଷା ପାଇଁ କଡ଼ା ବନେ୍ଦାବସ୍ତ କରାଯାଇଛି  ।