ଗଜା ଧାନ ପାଇଁ ଧାରଣାରେ ବିଧାୟିକା
ବରଗଡ : ବରଗଡ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ଲଗାଣ ବର୍ଷା ଯୋଗୁ ଚାଷୀଙ୍କୁ ବ୍ୟାପକ ଫସଳ ହାନୀ ଘଟିଛି । ବିଶେଷ ଭାବେ ହୀରାକୁଦ ଜଳସେଚିତ ଅଞ୍ଚଳ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରବି ଧାନ ଅମଳ ସମୟରେ ନାହିଁ ନ ଥିବା କ୍ଷୟ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ବର୍ଷା ଯୋଗୁଁ ବିଲରେ ଅମଲ ହୋଇନଥିବା ଧାନ, ଅମଳ ହୋଇ ବିଲରେ ପଡିରହିଛି, ବିଳରେ ଥିବା ଧାନ ଓ ବଜାର ପ୍ରାଙ୍ଗଣରେ ବିକ୍ରି ନ ହୋଇ ଅଦିନିଆ ବର୍ଷାରେ ଭିଜି ଗଜା ହୋଇଛି ଯାହାକି ଚାଷର କଷ୍ଟୋପାର୍ଜିତ ଧାନ ଫସଲ ଓ ଧାନର କ୍ଷୟକ୍ଷତି ଘଟିଛି । ଯାହାଫଳରେ ଚାଷୀର ମେରୁଦଣ୍ଡ ତଥା ମାନସିକ ସ୍ଥିତି ଏବେ ଦୋହଲି ଯାଇଛି । ଏପରି ସ୍ଥିତିରେ ଚାଷୀଙ୍କ ଦାବୀକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ବିଭିନ୍ନ ଧାନମଣ୍ଡିରେ ପଡି ରହିଥିବା ଧାନକୁ ବିନା କଟ୍ନୀ ଛଟ୍ନୀରେ ତୁରନ୍ତ କ୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ବରଗଡ ଜିଲ୍ଳା ବିଜେଡି ତରଫରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଳା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତଥା କର୍ମୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଚାଷୀଙ୍କୁ ନ୍ୟାୟ ଦାବୀରେ ବରଗଡ ଜିଲ୍ଳାପାଳ ଚେମ୍ବର ଭିତରେ ବିଧାୟିକା ବର୍ଷା ସିଂ ବରିହା, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ପୌରାଧ୍ୟକ୍ଷା କଳ୍ପନା ମାଝୀ, ସୁଶାନ୍ତ ମିଶ୍ର, ଗୌରହରି ମିଶ୍ର, ପ୍ରଦୁ୍ୟମ୍ନ ତ୍ରିପାଠୀ, ହରିଶଙ୍କର ବେହେରା, କରନ ସିକନ୍ଦର ସମେତ ବହୁ ବିଜେଡି କାର୍ଯ୍ୟକର୍ତା ଧାରଣା ଦେଇଥିଲେ । ଏହି ସମୟରେ ବିଜେଡି ଏବଂ ପୁଲିସ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ କଥା କଟାକଟି ହୋଇଥିଲା । ଦୀର୍ଘ ସମୟ ପରେ ଜିଲାପାଳ ଆଦିତ୍ୟ ଗୋୟଲ ପହଁଞ୍ଚି ବିଜେଡି ତରଫରୁ ଦିଆଯାଇଥିବା ୬ ଦଫା ସ୍ମାରକପତ୍ର ଗ୍ରହଣ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ରାଜରାସ୍ତାରେ ଆନେ୍ଦାଳନ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।