କେବେ ଆସିବ ସୁଭଦ୍ରା ଏସଓପି?


ାା ପ୍ରଭାନୁ୍ୟଜାା ଭୁବନେଶ୍ୱର,:  ସେପ୍ଟେମ୍ବର ୧୭  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ  । ସେହିଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଓଡ଼ିଶାର ମହିଳାମାନଙ୍କୁ ‘ସୁଭଦ୍ରା ଯୋଜନା’ ଉପହାର ଦେବେ  । ଏଥିପାଇଁ ବିଶାଳ ସମାବେଶ ବି କରାଯିବାର ଯୋଜନା ହୋଇଛି  । ରାଜ୍ୟ ରାଜନୀତିକ ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମଧ୍ୟ କୁହାଯାଇପାରିବ  । ହେଲେ ଏଯାଏଁ ଏସଓପି ପ୍ରସ୍ତୁତି ହୋଇପାରିନାହିଁ  । ତେଣୁ କେବେ ହିତାଧିକାରୀ ଚୟନ କରାଯିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ  । 
ସୁଭଦ୍ରା ଯୋଜନା ରାଜ୍ୟର ସବୁ ମହିଳାଙ୍କୁ ମିଳିବ  । ଏହାର ଏସଓପି ପ୍ରସ୍ତୁତି ସରିଗଲାଣି  । ଅଗଷ୍ଟ ୧୫ରେ ଏସଓପି ନେଇ ଘୋଷଣା ହେବ  । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏଭଳି ଘୋଷଣା ପରେ ମହିଳାମାନଙ୍କ ଠାରୁ ବେଶୀ ଉତ୍ସାହିତ ହୋଇଯାଇଥିଲେ ବିଜେପି କାର୍ଯ୍ୟକର୍ତ୍ତା  । କିନ୍ତୁ ପଦ୍ମ ଘୁଂଚିଘୁଂଚି ଗଲା ଭଳି ସୁଭଦ୍ରା ଏସଓପି ବି ଘୁଂଚିଘୁଂଚି ଯାଇଛି  । ଯାହାକୁ ନେଇ ବିଜେପି କାର୍ଯ୍ୟକର୍ତାମାନେ ନିରାଶ ହୋଇପଡ଼ିଛନ୍ତି  । କାହିଁକିନା ସେମାନେ ଗାଁ ଗାଁ ବୁଲି ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ଓ ଏବେ ବିଜେପିରେ ଯୋଗଦେବାର ବେଳ ବୋଲି ଲୋକଙ୍କୁ ବୁଝାଇ ଚାଲିଥିଲେ  । ସୁଭଦ୍ରା ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ବିଜେପିର ଭୋଟ ବ୍ୟାଙ୍କ ଆଶାତୀତ ଭାବେ ବଢ଼ିଯିବ  । କାହିଁକିନା ଏହି ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ମିଳିବ  । ଆଗକୁ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ । ବିଜେଡ଼ିର ମିଶନ ଶକ୍ତି ମଡ଼େଲକୁ ଏହା ଠିକ୍ ଭାବେ କାଉଂଟର କରିପାରିବ  । ଅର୍ଥ ବାଧକ ଥିବାରୁ ଚଳିତ ବର୍ଷ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । 
ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମେ ଗାଇଡ଼ଲାଇନ ପ୍ରସ୍ତୁତ ହୋଇଥାଏ  ।  କାରଣ ସବୁ ମହିଳାଙ୍କୁ ଏହି ଯୋଜନାର ସୁଫଳ ମିଳିପାରିବ ନାହିଁ । କୋଟି କୋଟି ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା କାଠିକର ପାଠ  । ତେଣୁ ଏଥିପାଇଁ କଡ଼ା ମାପଦଣ୍ଡ କରାଯିବାର ସମ୍ଭାବନା ରହିଛି  । ପ୍ରଥମ ଦଫାରେ ପରିବାରରୁ ଜଣଙ୍କୁ ହିଁ ଏହି ଯୋଜନାର ସୁଫଳ ମିଳିବ ବୋଲି ଚର୍ଚ୍ଚା ହେଉଛି  । ତେବେ ସେ ଯାହାହେଉନା କାହିଁକି ଏସଓପି ଆସିବା ପରେ ବ୍ଳକ ପକ୍ଷରୁ ହିତାଧିକାରୀ ଚୟନ ପାଇଁ ପଦକ୍ଷେପ ନେବ  । ଏହା ଦିନେ ଅଧେର କଥା ନୁହେଁ, ଏଥିପାଇଁ ସର୍ଭେ କରିବାକୁ ମାସ ମାସ ସମୟ ବି ଲାଗିଯିବ  । ସେହିପରି ରାଜ୍ୟର ସିଂହଭାଗ ପଂଚାୟତମାନଙ୍କର ବିଜେଡ଼ିର  ସରଂପଚ ଥିବାରୁ ହିତାଧିକାରୀ ଚୟନ ଦାୟିତ୍ୱ ଜିଲ୍ଲାପାଳ ଓ ବିଡ଼ିଓସ୍ତରରେ କରିବାକୁ ସରକାର ଯୋଜନା କରୁଛନ୍ତି  । ସେପଟେ ସୁଭଦ୍ରା ଯୋଜନାକୁ ଲୋକମାନେ ଚାତକ ଭଳି ଚାହିଁ ରହିଛନ୍ତି । ଏହା ଗାଁ ଗାଁରେ ବିଜେପିକୁ ଚଳଚଂଚଳ କରିଦେବ  । ମିଶନ ଶକ୍ତି ପାଇଁ ଯେଭଳି ବିଜେଡ଼ି ଚଳଚଂଚଳ ହୋଇଯାଇଥିଲା ଓ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥିଲା ସୁଭଦ୍ରା ମାଧ୍ୟମରେ ବି ସେଭଳି ବିଜେପିର ଏକ ଭଲ ଭୋଟ ବ୍ୟାଙ୍କ ସୃଷ୍ଟିହେବ  । ତେବେ ସପ୍ତାହକ ମଧ୍ୟରେ ଏସଓପି ଚୂଡ଼ାନ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେବେ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।