ଓଡ଼ିଶା ଛାଡ଼ିଲା ମୌସୁମୀ ବାୟୁ

ଭୁବନେଶ୍ୱର: ମୌସୁମୀ ବାୟୁ ଓଡ଼ିଶା ଛାଡ଼ିଛି। ୧୩ ତାରିଖରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଫେରିଯାଇଥିବା ବେଳେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ସାଧାରଣତଃ ଅକ୍ଟୋବର ୧୦ରୁ ରାଜ୍ୟରୁ ମୌସୁମୀ ଅପସାରଣ ଆରମ୍ଭ ହୋଇ ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରୁ ମୌସୁମୀ ବିଦାୟ ନେଇଥାଏ। ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଓଡ଼ିଶା ଛାଡ଼ିଛି। ଚଳିତବର୍ଷ ଜୁନ୍ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା।