ପୂର୍ବତନ ଡିଜିପିଙ୍କୁ ହତ୍ୟା: ‘ଆତ୍ମରକ୍ଷା ପାଇଁ ଛୁରୀ ମାରିଥିଲେ ପତ୍ନୀ’

 ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ପୁଲିସ ମହା ନିଦେ୍ର୍ଦଶକ (ଡିଜିପି) ଓମ୍ ପ୍ରକାଶଙ୍କ ମୃତୁ୍ୟ ଘଟଣାର ପର୍ଦ୍ଦଫାଶ ହୋଇଛି । ତାଙ୍କ ପତ୍ନୀ ପଲବୀ ହିଁ ଓମ୍ ପ୍ରକାଶଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି । ଆଉ ନିଜର ସୁରକ୍ଷା ପାଇଁ ତଥା ନିଜ ଝିଅର ଭବିଷ୍ୟତ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପଲବୀ କହିଛନ୍ତି । ସେହିପରି ଦୀର୍ଘ ଦିନ ଧରି ଓମ୍ପ୍ରକାଶ ମୋତେ ଘରେ ପଣବନ୍ଦୀ କରି ରଖିଥିଲେ ଏବଂ ଯେଉଁଆଡ଼େ ଗଲେ ତାଙ୍କ ଗୁପ୍ତଚର ମତେ ଅନୁସରଣ କରୁଥିଲେ ବୋଲି ଦୃଢ଼ ଅଭିଯୋଗ କରିଛନ୍ତି । ଏହାସହ ବହୁଥର ଓମ୍ପ୍ରକାଶ ମତେ ଖାଦ୍ୟରେ ବିଷ ଦେଇ ହତ୍ୟା କରିବା ପାଇଁ ଷଡ୍ୟନ୍ତ୍ର କରିଥିଲେ ବୋଲି ବୟାନ ଦେଇଛନ୍ତି । ଏ ସମ୍ପର୍କରେ ତାଙ୍କ ଘରେ କାମ କରୁଥିବା ରୋଷେୟାଙ୍କୁ ମଧ୍ୟ ପଚରା ଉଚରା କରାଯିବାକୁ ସେ ନିବେଦନ କରିଛନ୍ତି ।
ପୁଲିସ୍ ସୂଚନାନୁସାରେ ଗତକାଲି ରାତିରେ ଓମ୍ପ୍ରକାଶ ଡିନର୍ (ରାତି୍ରଭୋଜନ) କରୁଥିବା ବେଳେ କୌଣସି କଥାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ଧାରଣ କରିଥିବା ବେଳେ ଓମ୍ଙ୍କୁ ଖାଇବା ଥାଳି ସ୍ଥାନରେ ହିଁ ପଛପଟୁ ପଲବୀ ଛୁରୀ ଭୁସି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଝିଅ ଏବଂ ପଲବୀ ଦୁହେଁ ଘରର ଅନ୍ୟ ଏକ ବଖରାରେ ଭିତରପଟେ ରହି କବାଟ ଦେଇ ଦେଇଥିଲେ । କିଛି ସମୟ ପରେ ନିଜେ ପଲବୀ ପୁଲିସ୍କୁ ଫୋନ୍ କରି ଡାକିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଓମ୍ପ୍ରକାଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା । ଏହାସହ ଘଟଣାସ୍ଥଳରୁ ଏକ ଛୁରୀ ମଧ୍ୟ ଜବତ କରିଥିଲା । ପରବର୍ତ୍ତୀ ସମୟରେ ଘରେ ନିଜକୁ କବାଟ ବନ୍ଦ କରି ରଖିଥିବା ପଲବୀଙ୍କୁ ପୁଲିସ୍ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ । ଶେଷରେ ପୁଲିସ୍ କବାଟ ଭାଙ୍ଗି ତାଙ୍କୁ ଏବଂ ତାଙ୍କ ଝିଅ କିର୍ତ୍ତୀଙ୍କୁ ଘଟଣାସ୍ଥଳରୁ କାବୁ କରିଥିଲା । ପୁଲିସ୍ ଉଭୟ ମା’ଝିଅଙ୍କ ଫୋନ୍ ମଧ୍ୟ ଜବତ କରିଛି । ତେବେ ହତ୍ୟାକାଣ୍ଡ ସହିତ ଝିଅ କିର୍ତ୍ତୀଙ୍କ କିଛି ସମ୍ପୃକ୍ତି ରହିଛି କି ନାହିଁ ତା’ର ତଦନ୍ତ ଜାରି ରହିଥିବା ପୁଲିସ୍ ସୂଚନା ଦେଇଛି ।