ଆମେରିକା ଟାରିଫର ଜବାବ ଦେବାକୁ ପ୍ରସ୍ତୁତ ଭାରତ
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଦିବା ପରେ ଏହାର ମୁକାବିଲା ପାଇଁ ଭାରତ ରଣନୀତି ଆରମ୍ଭ କରିଛି । ଦେଶବାସୀଙ୍କ ସ୍ବାର୍ଥ ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋକ୍ ଠୋକ୍ କହିବା ସହ ବିଦେଶୀ ରାଷ୍ଟ୍ରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଆଜି ମୋଦୀ ଫୋନ୍ ଯୋଗେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ କଥା ହୋଇଥିଲେ । ଦ୍ବିପାକ୍ଷିକ ବାଣିଜ୍ୟ, ବୈଷୟିକ, ଶକ୍ତି, ପ୍ରତିରକ୍ଷା, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି । ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ ମଧ୍ୟ ଆମେରିକା ଟାରିଫ୍ ବୃଦ୍ଧି ସମସ୍ୟାର ସାମ୍ନା କରୁଛି । ନିକଟରେ ମୋଦୀ ବ୍ରାଜିଲ ଗସ୍ତ କରିଥିବା ବେଳେ ମଧ୍ୟ ଆଲୋଚନା ହୋଇଥିଲା । କେବଳ ଏତିକି ନୁହେଁ, ପାରମ୍ପରିକ ବନ୍ଧୁ ରାଷ୍ଟ୍ର ରୁଷ୍ ସହ ଚୀନ ସହିତ ମଧ୍ୟ ଭାରତ ସମ୍ପର୍କ ବଢ଼ାଉଛି । ନିକଟରେ ଭାରତର ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଚୀନ ଯାଇ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ । ଚଳିତବର୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବାର ସମ୍ଭାବନା ଅଛି । ରୁଷଠାରୁ ଭାରତ ଅଧିକ ତୈଳ ଆମଦାନୀ କରୁଥିବାରୁ ଆମେରିକା ଅଯଥା ରାଗୁଥିବା ବେଳେ ଦେଶର ସ୍ବାର୍ଥ ପାଇଁ ସାଲିସ କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି । ବାଣିଜ୍ୟ ସମ୍ପର୍କ ରକ୍ଷା ପରସ୍ପର ଦାୟିତ୍ବ ବୋଲି ସ୍ପଷ୍ଟ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଚୀନ୍ ଗସ୍ତ କରିବେ । ବ୍ରାଜିଲ ସମେତ ଅନ୍ୟ ବ୍ରିକ୍ସ ରାଷ୍ଟ୍ର ଏବଂ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ବଢ଼ାଇବା ପାଇଁ ଭାରତ ଚେଷ୍ଟା କରୁଛି । ଆମେରିକା ଟାରିଫ୍ ବୋଝର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କୂଟନୀତି ସହ ବାଣିଜ୍ୟ ଓ ଦେଶର ସ୍ବାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।