ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ‘ଛାବା’

ନୂଆଦିଲ୍ଲୀ : ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି। ସଂସଦ ‘ଛାବା’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମରେ ବିକି କୌଶଳଙ୍କ ଫିଲ୍ମ ଦେଖିବେ। ଏହି ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବହୁ ଭାଜପା ମନ୍ତ୍ରୀ ଏବଂ ଏମ୍ପି ମଧ୍ୟ ଉପସ୍ଥିତ ରହିବେ। ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବିକି କୌଶଳ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ ‘ଛାବା’ର ସ୍ବତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ‘ଛାବା’ର ପ୍ରଶଂସା କରିଥିଲେ। ସେ କହିଥିଲେ-ମହାରାଷ୍ଟ୍ର ଏବଂ ମୁମ୍ବାଇ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାକୁ ନୂଆ ଶିଖରରେ ପହଞ୍ଚାଇଛି। ‘ଛାବା’ ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ବିକି କୌଶଳଙ୍କ ଫିଲ୍ମ ରିଲିଜ ହେବାର ୪୦ ଦିନ ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି। ଫିଲ୍ମଟି ଏବେ ୬୦୦ କୋଟି କ୍ଲବରେ ସାମିଲ ହୋଇଛି। ‘ଛାବା’ ଭାରତରେ ଏପର୍ଯ୍ୟନ୍ତ ୫୯୭.୬୬ କୋଟି ଟଙ୍କା ରୋଜଗାର କରିସାରିଛି। ୪୦ତମ ଦିନର କଲେକ୍ସନ ସହିତ, ‘ଛାବା’ ଭାରତରେ ୫୯୭.୯୯ କୋଟି ଟଙ୍କା ରୋଜଗାର କରିଥିବା ‘ସ୍ତ୍ରୀ ୨’ର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି।