ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି କମିଟିର ବୈଠକ: ଆରଆଇଡିଏଫ୍ ଋଣ: ଓଡ଼ିଶା ପ୍ରଥମ
ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା, ସଫଳତା ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ଶ୍ରୀମତୀ ଗର୍ଗ । ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କରିବାକୁ ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିଦେ୍ର୍ଦଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅର୍ଥ ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉପଯୋଗ କରୁଥିବା ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ମସô୍ୟ ଓ ପ୍ରାଣୀ ସଂପଦ ବିକାଶ ଆଦି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ନାବାର୍ଡ, ଓଡିଶାର ମୁଖ୍ୟ ସାଧାରଣ ପରିଚାଳକ (ସିଜିଏମ) ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଆରଆଇଡିଏଫ୍ ପାଣ୍ଠି ଅଧୀନରେ ୨୦୨୪-୨୫ ବର୍ଷରେ ଏହି ପାଣ୍ଠି ଉପଯୋଗ କରୁଥିବା ବିଭିନ୍ନ ବିଭାଗର କାର୍ଯ୍ୟ ସଫଳତା ଅନୁଧ୍ୟାନ କରାଯାଇଥିଲା । ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ଚଳିତ ଥର ନାବାର୍ଡଠାରୁ ୩୮୩୬.୩୪ କୋଟି ଟଙ୍କାର ଆରଆଇଡିଏଫ୍ ଋଣ ହସଲ କରି ରାଜ୍ୟ ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଏହି ଅର୍ଥରେ କେଉଁ ଜିଲ୍ଲାରେ କି କି ପ୍ରକଳ୍ପ ହୋଇଛି ତାହା ଆଲୋଚନା ହୋଇଥିଲା । ଜଳ ସଂପଦ ବିଭାଗ ଜରିଆରେ ଗଞ୍ଜାମ ଜିଲ୍ଲାର ରାମନଦୀରେ ଜକମେରୀପଲ୍ଲୀଠାରେ ନିର୍ମିତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ସେଚାଞ୍ଚଳ ଉନ୍ନୟନ୍ନ ମାଧ୍ୟମରେ ନିର୍ମିତ ଅନ୍ୟ ବହୁ ଉଲ୍ଲେଖନୀୟ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଥିବା ମତପ୍ରକାଶ ପାଇଥିଲା । ଏହାସହ ନାବାର୍ଡ ଅର୍ଥରେ ଅନ୍ୟାନ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଛି ।