କାହିଁକି ଦିଲ୍ଲୀରେ ନବୀନ ?

ଦିନେ କି ଦୁଇଦିନ ପାଇଁ ନୁହେଁ । ସିଧା ୭ ଦିନ ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ । ବିଜେଡ଼ି ସୁପ୍ରିମୋଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିଜେଡ଼ି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଲମ୍ବା ସମୟ ପାଇଁ ଦିଲ୍ଲୀ ଗସ୍ତ ପଛର ରହସ୍ୟ କ’ଣ ତାହାକୁ ନେଇ ଦଳୀୟ ଅଳିନ୍ଦରେ ଟୁପୁରଟାପୁର ଚାଲିଛି । ଦେହ ଅସୁସ୍ଥ ଯୋଗୁଁ ସେ ଦିଲ୍ଲୀ ଯାଇଛନ୍ତି ନା ସେଠାରେ ବିଜେଡ଼ିର ଆଗାମୀ ରଣନୀତି ନିର୍ଦ୍ଧାରଣ ହେବ ସେହି ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀର ଚର୍ଚ୍ଚା ଅନୁଯାୟୀ ବିଜେଡ଼ିରେ କିଏ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବେ ତାହାକୁ ନେଇ ଅଙ୍କକଷା ଚାଲିଛି । ଚବିଶ ନିର୍ବାଚନ ପରାଜୟର ବୋଝ ଏବେବି ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ମୁଣ୍ଡାଇ ବୁଲୁଛନ୍ତି । ସେମାନଙ୍କ ବିରୋଧରେ ଏବେ ଦଳରେ ବି ସ୍ୱର ବଢ଼ିବାରେ ଲାଗିଛି । ତେଣୁ ପାଣ୍ଡିଆନ୍ ଓ ବବିଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କରିବାର ରିସ୍କ ନେବାକୁ ଚାହୁଁନାହାନ୍ତି ନବୀନ । ଏଭଳି କ୍ଷେତ୍ରରେ ଦଳକୁ କିଏ ଚଳାଇ ପାରିବ ସେନେଇ ନବୀନ ନେତା ଖୋଜୁଛନ୍ତି । ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦେବା ପାଇଁ ନିକଟରେ ଅଶୋକ ପଣ୍ଡା ଆହ୍ୱାନ ଦେଇଥିଲେ । ନବୀନଙ୍କ ସହ ତାଙ୍କର ନିଘନ ସମ୍ପର୍କ ରହିଛି ବୋଲି ସମସ୍ତେ ଜାଣନ୍ତି । ନବୀନଙ୍କ ପରାମର୍ଶରେ ଅଶୋକ କୁଆଡେ଼ ଏମିତି ବାଣ ଛାଡ଼ିଥିବା କୁହାଯାଉଛି । ସମ୍ପ୍ରତି ବିଜେଡ଼ିର କୌଣସି ନେତା ଦଳ ସମ୍ଭାଳିବାର ଯୋଗ୍ୟତା ରଖିନାହାନ୍ତି । ପ୍ୟାରୀଙ୍କ ମିଡ଼ନାଇଟ୍ ଅପରେସନ୍ ପରେ ନିଜେ ନବୀନ ଏଭଳି ନୀତି ଆପଣାଇଛନ୍ତି । ତେଣୁ ଦଳ କଥା ବୁଝିବାକୁ ନବୀନ ଏକ ଟିମ୍ ଗଢ଼ିବାକୁ ଯାଉଛନ୍ତି । ଯେଉଁ ଟିମ୍ରେ ବରିଷ୍ଠ ଓ ଯୁବନେତାମାନେ ରହିବେ । ସଂଜୟ ଦାସବର୍ମା, ପ୍ରୀତିରଞ୍ଜନ ଘଡେ଼ଇ, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତାମାନଙ୍କୁ ନେଇ ନବୀନ ଏକ ଟିମ୍ ଗଠନ କରିବେ । ଏହି ନେତାମାନଙ୍କ ଭିତରେ ଦାୟିତ୍ୱ ଆବଣ୍ଟନ କରାଯିବ । ସାରା ରାଜ୍ୟକୁ ନବୀନ ୧୦ଟି କ୍ଳଷ୍ଟରରେ ବିଭକ୍ତ କରି ଜଣେ ଲେଖାଏଁ ନେତାଙ୍କୁ ଦାୟିତ୍ୱ ଦେବେ । ସେହି ନେତା ନିଜ ଟିମ୍ ଗଠନ କରି ୩ ଜିଲ୍ଲାର ହାଲଚାଲ ବୁଝିବେ । ବିଧାନସଭା ଓ ଲୋକସଭା ୱାରୀ ନେତାମାନଙ୍କୁ ଚୟନ କରାଯିବ । ବିଜେପି ଭଳି ଜିଲ୍ଲା ପରିଷଦ ଜୋନ୍ ୱାରୀ ଦଳ ସଭାପତି ବାଛିବ ବୋଲି କୁହାଯାଉଛି । ଯାହାଫଳରେ ବ୍ଳକ କିମ୍ବା ଜିଲ୍ଲା ସଭାପତିକୁ ନେଇ ଆଉ ବେଶୀ ବିବାଦ ରହିବ ନାହିଁ । ଯେଉଁ ଯେଉଁ ସ୍ଥାନରେ ବିଜେଡ଼ି ହାରିଯାଇଛି ସେହି ସ୍ଥାନ ଉପରେ ନବୀନ ବେଶୀ ଗୁରୁତ୍ୱ ଦେବେ ।