ହଟିଲା ନବୀନଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଇଥିଲା। ହେଲେ ବୁଧବାରଠାରୁ ନୂଆ ସରକାର ଆସିବା ପରେ କମିସନରେଟ୍ ପୁଲିସ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିଛି। ତାଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଖାଲି ଏତିକି ନୁହେଁ; ନବୀନ ନିବାସ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ଏସ୍ବି ବାଟାଲିୟନର ୩୦୦ ସିପାହୀ ସଂଖ୍ୟା କମାଇଦିଆଯାଛି। ଏହି ସିପାହୀ ୩ଟି ସିଫ୍ଟରେ ଭିତରେ ଓ ବାହାରେ ଜଗି ସୁରକ୍ଷା ଯୋଗାଉଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟିଂ ଏସ୍କର୍ଟ ସହ ସୁରକ୍ଷା କର୍ମୀ ଯୋଗାଇଦିଆଯାଇଛି। ବର୍ତ୍ତମାନ ନବୀନ ନିବାସ ପାଇଁ ୪୫ ଜଣ ସିପାହୀଙ୍କୁ ସୁରକ୍ଷା ଦାୟିତ୍ବରେ ନିଯୁକ୍ତ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେମାନେ ୩ଟି ସିଫ୍ଟରେ ସୁରକ୍ଷା ଯୋଗାଇବେ।