ଆଜି ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି ନବୀନ

ଆଜି ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି ନବୀନ

ଭୁବନେଶ୍ୱର : ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି।

ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍‌ରେ ଭର୍ତ୍ତି କରାଯାଇଛି। ସମ୍‌ ଅଲ୍‌ଟିମେଟ୍‌ରେ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ନବୀନଙ୍କ ଚିକିତ୍ସା କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍‌ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲ ଯାଇଥିଲେ।


ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୦ରେ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ଅପରେଶନ ପାଇଁ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୨ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ। ସେବେଠାରୁ ନବୀନ ନିବାସରେ ସେ ରହିବା ସହିତ ଦଳୀୟ ନେତୃବୃନ୍ଦଙ୍କ ସହିତ କମ୍‌ ସାକ୍ଷାତ ଆଲୋଚନା କରୁଥିବା ଜଣାଯାଇଛି। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଖୁବ୍‌ଶୀଘ୍ର ଭଲ ହୋଇଯାଆନ୍ତୁ। ଏହାସହିତ ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଆଶୀର୍ବାଦ ରହିଛି।