ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ। ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିବେ। ତେବେ ଦୁଇଟି ପର୍ୟ୍ୟାୟରେ ମୋଟ ୨୮ ଦିନର କାର୍ୟ୍ୟ ଦିବସ ରହିଛି। ମୋହନ ସରକାରଙ୍କ ଏହି ଦ୍ବିତୀୟ ବଜେଟରେ ବିରୋଧୀ ବାରବାଟି ଲାଇଟ ବନ୍ଦ ପ୍ରସଙ୍ଗ ଉଠାଇପାରନ୍ତି। ଏଥର ବଜେଟରେ ସରକାର କ’ଣ ନୂଆ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ବଜେଟ ଅଧିବେସନ ପାଇଁ ଗତକାଲି ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ କନନ ବର୍ଦ୍ଧନ ସିଂଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ। ଗୃହ କାର୍ୟ୍ୟରେ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଚସ୍ପତି।

ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ବିଜେପି , ବିଜେଡି ଓ କଂଗ୍ରେସ ବିଧାୟକ ଦଳର ବୈଠକ । ରାଜ୍ୟ ସରକାରଙ୍କୁ ଘେରିବାକୁ ଗତକାଲି ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ଓ କଂଗ୍ରେସ ।  ଧାନ କିଣାରେ କଟନୀଛଟନୀ, ରେଳ ଅନୁଦାନ କ୍ଷେତ୍ରରେ ଓଡିଶାକୁ ଅବହେଳା,  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ୟାତନା ପ୍ରସଙ୍ଗ ଉଠାଇବ ବିଜେଡି । କଂଗ୍ରେସ ବି ରଣନୀତି କରିଛି ।  ଆଉ ଏହାକୁ କାଂଉଟର କରିବାକୁ ରଣନୀତି କରିଛି ବିଜେପି ।  ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି,  ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ତାର ମୁକାବିଲା ଓ ସମସ୍ତ ପ୍ରକାର ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ । ପ୍ରଥମ ଥର ପାଇଁ ଏଥର ସବୁ କାମ ଡିଜିଟାଲରେ ହେବ ।  ବିଧାୟକ ଟ୍ୟାବ ବ୍ୟବହାର କରିବେ । ଗୃହକାର୍ୟ୍ୟର ସବୁତଥ୍ୟ  ଏହି ଟ୍ୟାବରୁ ମିଳିବ । ବିଭିନ୍ନ ବିଲ ଆଲୋଚନା ସମୟରେ ଇ-ଭୋଟିଂ ସୁବିଧା ବି ମିଳିବ ।