ବଜେଟ: ପୁଣି ପାରମ୍ପରିକ ଲୁକ୍‌ରେ ନିର୍ମଳା ସୀତାରମଣ

ବଜେଟ: ପୁଣି ପାରମ୍ପରିକ ଲୁକ୍‌ରେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ:  ପ୍ରତି ଥର ବଜେଟ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀ ଏକ ସ୍ବତନ୍ତ୍ର କାହାଣୀ କହିଥାଏ । ଅର୍ଥମନ୍ତ୍ରୀଙ୍କ ଶାଢୀ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ଓ ପରମ୍ପରାକୁ ପ୍ରତିପାଦିତ କରିଥାଏ । ଚଳିତ ବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ନିର୍ମଳା ଧଳା ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଶାଢୀର ଧଡ଼ିରେ ଗୋଲ୍ଡେନ ୱାର୍କ ହୋଇଥିବା ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀଙ୍କୁ ଏହି ଶାଢୀ, ପଦ୍ମଶ୍ରୀ ଦୁଲାରି ଦେବୀ ଉପହାର ଆକାରରେ ପ୍ରଦାନ କରିଥିଲେ । ଏହି ଶାଢୀରେ ବିହାରର ପ୍ରସିଦ୍ଧ ମଧୁବାଣୀ ପେଣ୍ଟିଂ କରାଯାଇଛି । ପଦ୍ମଶୀ ଦୁଲାରି ଦେବୀ ନିଜେ ଏହି ଶାଢୀକୁ ବୁଣିଛନ୍ତି ।
ମଧୁବାଣୀ କଳା ହେଉଛି ବିହାରର ମିଥିଳା ​​ଅଞ୍ଚଳର ଏକ ପାରମ୍ପାରିକ ଲୋକକଳା । ଏହାର ଉଜ୍ଜ୍ବଳ ରଙ୍ଗ ଏବଂ ସାଙ୍କେତିକ ଉପସ୍ଥାପନା ପାଇଁ ଏହା ଦେଶବ୍ୟାପୀ ପ୍ରସିଦ୍ଧି ଲାଭ କରିଛି । ଦୁଲାରି ଦେବୀ ତାଙ୍କ ନିଯୁକ୍ତିଦାତ୍ରୀ ତଥା ସଫଳ ଚିତ୍ରକାର କର୍ପୁରୀ ଦେବୀଙ୍କଠାରୁ ଏହି କଳାକୁ ଶିଖିଥିଲେ । ତାଙ୍କ ଜୀବନରେ କଠିନ ଆହ୍ବାନର ସମ୍ମୁଖୀନ ହୋଇ ସେ ନିଜ ଚିତ୍ର ମାଧ୍ୟମରେ ବାଲ୍ୟ ବିବାହ, ଏଡସ୍ ଏବଂ ଗର୍ଭଧାରଣ ଭଳି ପ୍ରସଙ୍ଗରେ ସଚେତନତା ବାର୍ତ୍ତା ଦେଇଥିଲେ । ଦୁଲାରି ଦେବୀ ଅତି କମରେ ୧୦,୦୦୦ ପେଣ୍ଟିଂ କରିଛନ୍ତି ଯାହାକି ୫୦ରୁ ଅଧିକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ।
ନୀତି ନିର୍ଦ୍ଧାରଣ ବ୍ୟତୀତ ନିର୍ମଳାଙ୍କ ଶାଢୀ ପସନ୍ଦ ଭାରତର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରଦର୍ଶିତ କରିଥାଏ । ବର୍ଷ ବର୍ଷ ଧରି ସେ କ୍ରମାଗତ ଭାବରେ ନିଜର 'ବଜେଟ୍ ଡେ ଶାଢୀ' ମାଧ୍ୟମରେ ବିଭିନ୍ନ ହସ୍ତତନ୍ତ ପରମ୍ପରା ଓ କଳାକୁ ପ୍ରଦର୍ଶିତ କରି ଦେଶର ସାଂସ୍କୃତିକ ଉତ୍ତରାଧିକାରୀଙ୍କୁ ପ୍ରୋତ୍ସାହିତ କରୁଥିବାବେଳେ କୁଶଳୀ କାରିଗର ତଥା ଆଞ୍ଚଳିକ କାରିଗରୀ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିଥାନ୍ତି ।
ପୂର୍ବରୁ କେଉଁ ସ୍ବତନ୍ତ୍ର ଶାଢୀ ପିନ୍ଧିଥିଲେ ନିର୍ମଳା ?

୨୦୨୪ ସାଧାରଣ ବଜେଟ୍‌ରେ ସେ ଏକ ବାଇଗଣୀ-ସୁବର୍ଣ୍ଣ ଧଡି ସହ ଧଳା ମହୀଶୂର ରେଶମ ଶାଢୀ ପିନ୍ଧିଥିଲେ । ଏହା ଭାରତୀୟ ସଂସ୍କୃତିର ଶୁଦ୍ଧତା, ସୌହାର୍ଦ୍ଦ୍ୟ ଏବଂ ନୂତନ ଆରମ୍ଭର ପ୍ରତୀକ ଥିଲା ।
ଅନ୍ତରୀଣ ବଜେଟ ୨୦୨୪ରେ ନୀଳ ରଙ୍ଗର ଶାଢୀ ପିନ୍ଧି ଚଞ୍ଚଳ, ଗତିଶୀଳତାର ବାର୍ତ୍ତା ଦେଇଥିଲେ ।
୨୦୨୩ରେ ଲାଲ ଓ କଳା ରଙ୍ଗର ଶାଢୀ ସହ ସାହାସ, ପ୍ରେମ ଓ ପ୍ରତିଶୃତିର ବାର୍ତ୍ତା ଦେଇଥିଲେ ।
୨୦୨୨ରେ ଓଡ଼ିଶାର ପାରମ୍ପରିକ ବୋମକାଇ ଶାଢୀ ସହ ନିରାପତ୍ତାର ବାର୍ତ୍ତା ଦେଇଥିଲେ ନିର୍ମଳା ।
୨୦୨୧ରେ ପୋଞ୍ଚାମପଲ୍ଲି ଶାଢୀ ସହ ନିଷ୍ଠାର ବାର୍ତ୍ତା ଦେଇଥିଲେ ।
୨୦୨୦ରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ସମୃଦ୍ଧିର ବାର୍ତ୍ତା ଦେଇଥିଲେ ।
୨୦୧୯ ବଜେଟ ଉପସ୍ଥାପନ ବେଳେ 'ଭୋକାଲ ଫର ଲୋକାଲ' ବାର୍ତ୍ତା ଦେଇଥିଲେ ।