କାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର
ଭୁବନେଶ୍ୱର: ଏସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ୟ୍ୟାଳୟ ଆଗରେ ପ୍ରତିବାଦ କରୁଛି ନର୍ସିଂ ସଂଘ । ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କ କାର୍ୟ୍ୟବନ୍ଦକୁ ସମର୍ଥନ କରିଛନ୍ତି ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ। ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି । ଜରୁରୀ ସେବା ଛାଡ଼ିଦେଲେ ଚିକିତ୍ସା କାର୍ୟ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ । ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହେଉଛି।