ବର୍ଷାରେ ବେହାଲ ବାହାଳପଡ଼ା ରାସ୍ତା

 ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ସହରର ବାହାଳପଡା ରାସ୍ତା ସମାନ୍ୟ ବର୍ଷାରେ ବେହାଳ ହୋଇପଡ଼ିଛି । ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବାବେଳେ ଲୋକଙ୍କ ଘରଦ୍ୱାରରେ ପାଣି ପଶୁଛି । ଯାହାଫଳରେ ଲୋକେ ନାଦାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ହେଲେ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ପଡାବାସୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । 
ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସହରର ଏହି ରାସ୍ତା ଦେଇ ବିଜୁ ଏକ୍ସପ୍ରେସ ରାସ୍ତା ସଂଯୋଗ କରୁଛି । ଏପରିକି ଉକ୍ତ ରାସ୍ତା ଦେଇ ସିନାପାଲି ନେହେରୁ ମଣ୍ଡପ ଦେଇ ସହରକୁ ଲୋକେ ନୀତି ଯିବା ଆସିବା କରିବାକୁ ପଡିଥାଏ । ଏଠାରେ ରାଜଶ୍ରୀ ପବ୍ଲିକ ସ୍କୁଲ ଓ ବାହାଲପଡ଼ା ପ୍ରାଥମିକ ସ୍କୁଲ ରହିଛି । ପ୍ରତି ଦିନ ଛାତ୍ରଛାତ୍ରୀଙ୍କ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ, ସ୍ଥାନୀୟ ପଡାର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି । ଗୋଟିଏ ରାସ୍ତା ଏହି ପଡାକୁ ରହିଥିବା ବେଳେ, ଅନ୍ୟ ବିକଳ୍ପ ରାସ୍ତା ନାହିଁ । ଏହି ସମସ୍ୟାକୁ ନେଇ ବାରମ୍ବାର ପଡାବାସୀ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ ଠାରୁ ଅନୁରୋଧ କରି ଆସୁଛନ୍ତି ହେଲେ, କୌଣସି ସୁଫଳ ମିଳିନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ତତ୍କାଳୀନ ସିନାପାଲି ବିଡିଓ ସଦାଶିବ ନାଏକ ଓ ତକ୍ରାଳିନ ଜିଲ୍ଲାପାଳ ମଧୁସ୍ମିତା, ଯନ୍ତ୍ରୀ ମିନାକ୍ଷୀ ମିଶ୍ର, ସ୍ଥାନୀୟ ସମିତି ସଭ୍ୟ ମନୀଷ ପଟେଲ ପ୍ରମୁଖ ସରଜମିନ ତଦନ୍ତ କରି ରାସ୍ତାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିଲା ନାହିଁ । ଯାହାଫଳରେ ପଡାବାସୀ ଓ ଅଞ୍ଚଳର ଜନସାଧାରଣ ଲହଡି ଭାଙ୍ଗୁଥିବା ରାସ୍ତା ଉପରେ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଛନ୍ତି । ଖୋଦ୍ ସିନାପାଲି ସହରରେ ଏଭଳି ଦୁର୍ଦ୍ଦଶା ଲାଗି ରହିଥିବା ବେଳେ, ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଦେଖିପାରୁଛନ୍ତି କି ନାହିଁ ତାହା ଅନୁମାନ କଲେ ତାଙ୍କର ପାରିବା ପଣିଆ ବୁଝା ପଡୁଛି । ସିନାପାଲି ସହରରେ ଅନେକ ରାଜନୈତିକ ନେତୃବୃନ୍ଦ ରହିଛନ୍ତି । ଅନେକ ସମୟରେ ସିନାପାଲି ସହର ର ବିକାଶ ଓ ସ୍ୱଚ୍ଛ ନିର୍ମଳ ସହର ଗଢିବାକୁ ଡିଣ୍ଡିମ ପିଟନ୍ତି ହେଲେ ସବୁ ଧୂଆଁବାଣ ସଦୃଶ୍ୟ ବୋଲି ସହରବାସୀ ମଧ୍ୟରେ ଅଭିଯୋଗ ହେଉଛି । ଏହି ରାସ୍ତା ନିର୍ମାଣ ସାଙ୍ଗକୁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରିବାକୁ ବାହାଲପଡାବାସୀ ଦାବି କରିଛନ୍ତି ।