ମୋଦିଙ୍କ ଦୂରଦୃଷ୍ଟିକୁ ପିକେ ମିଶ୍ରଙ୍କ ପ୍ରଶଂସା

ମୋଦିଙ୍କ ଦୂରଦୃଷ୍ଟିକୁ ପିକେ ମିଶ୍ରଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେକୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ନୂଆଦିଲ୍ଲୀରେ ନିକଟରେ ଆୟୋଜିତ ବିଜନେସ୍ ଷ୍ଟାଣ୍ଡାର୍ଡ ମନ୍ଥନ ଶିଖର ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ ଯେ, ସରକାର ‘ଆତ୍ମନିର୍ଭର’ ହେବା ଉପରେ ଧ୍ୟାନ ଦେଇ କୋଭିଡ-୧୯ ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ । ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଦେଇଛନ୍ତି । 
ଭାରତୀୟ ଅର୍ଥବ୍ୟବସ୍ଥା କିଭଳି ଭାବେ ଅନେକ ଆହ୍ୱାନର ସାମ୍ନା କରିଥିଲା ତାହା ଡକ୍ଟର ମିଶ୍ର ଏହି ମତବିନିମୟ ଅବସରରେ କହିଥିଲେ । ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନକୁ ଭାରତ ଦୃଢ଼ ଭାବେ ମୁକାବିଲା କରିଥିଲା । ସେ ସରକାରଙ୍କ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଏବଂ ଭାରତର ଉପଭୋଗ ଆଧାର ତଥା ଜନସାଂଖି୍ୟକୀୟ ଲାଭର ଲାଭ ଉଠାଇବା ଉପରେ ମଧ୍ୟ ଆଲୋକପାତ କରିଥିଲେ । ବର୍ତ୍ତମାନ ଚାଲିଥିବା ସଂରକ୍ଷଣବାଦ ଏବଂ ୱାଶିଂଟନ୍ ସର୍ବସମ୍ମତିର ଭାଙ୍ଗିବା ପରିପ୍ରେକ୍ଷୀରେ ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ସହିତ ଭାରତର ଆର୍ଥିକ ସମ୍ପର୍କରେ ଆମର ନୀତିଗତ ଆଭିମୁଖ୍ୟ ଅତ୍ୟନ୍ତ ସୁସଂଗତ । ଡକ୍ଟର୍ ମିଶ୍ର ଏକ ନୂତନ ଆଭିମୁଖ୍ୟ ସହିତ ଅନିଶ୍ଚିତତାର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ; ଯେଉଁଠାରେ କେବଳ ବିପଦ ଆକଳନ ନୁହେଁ ବରଂ ଏକ ‘ଅଭଙ୍ଗୁର ବ୍ୟବସ୍ଥା’ ନିର୍ମାଣ କରିବା ମଧ୍ୟ ଆମର ଉଦେ୍ଦଶ୍ୟ ହେବା ଉଚିତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ଆମେରିକା ଗସ୍ତ ବିଷୟରେ କହିଥିଲେ ଯେ, କେବଳ ସଙ୍କଟ ମୁକାବିଲା ପାଇଁ ଜବାବୀ ପଦକ୍ଷେପ ପରିବର୍ତ୍ତନ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଏବଂ ‘ସୁଯୋଗ’ ଦିଗରେ ଆଗକୁ ବଢ଼ିବା ଦୃଷ୍ଟିକୋଣରୁ ‘ଅତ୍ୟନ୍ତ ସକରାତ୍ମକ ।’
ଅର୍ଥନୈତିକ ବିଶ୍ଳେଷକ ନାସିମ୍ ନିକୋଲାସ୍ ତାଲେବଙ୍କ କାର୍ଯ୍ୟକୁ ଉଦ୍ଧୃତ କରି ଡକ୍ଟର ମିଶ୍ର କହିଥିଲେ, କେବଳ ନମନୀୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅଭଙ୍ଗୁର ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍ । ଭାରତର କୃଷି କ୍ଷେତ୍ର ଉପରେ ମତ ରଖି କୃଷିରେ ବିବିଧତା ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ମିଶ୍ର ମତବ୍ୟକ୍ତ କରିଥିଲେ ।