ଉତ୍ତରାଖଣ୍ଡରେ ଶୀତଲହରୀ : ବରଫ ଚାଦରରେ ୩ ଜିଲ୍ଲା କେଦାରନାଥରେ ତାପମାତ୍ରା ମାଇନସ୍ ୧ଠ
ଡେରାଡୁନ୍: ଉତ୍ତରାଖଣ୍ଡର ବିଭିନ୍ନସ୍ଥାନରେ ଦୁଇଦିନ ହେଲା ବର୍ଷା ସାଙ୍ଗକୁ ବରଫବର୍ଷା ଜାରି ରହିଛି । ହିମାଳୟରୁ ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ଜାଡ଼ରେ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି । ରାଜ୍ୟର ଡେରାଡୁନ୍, ପୈରୀ ଏବଂ ନୈନୀତାଲ ଜିଲ୍ଲାରେ ଅଧିକ ଶୀତଲହରୀ ପରିଲକ୍ଷିତ ହୋଇଛି । ଏହି ତିନି ଜିଲ୍ଲାରେ ସ୍ନୋ-ଫଲ୍ (ବରଫବର୍ଷା) ସାଙ୍ଗକୁ ଶୁଷ୍କ ଜଳବାୟୁର ଅନୁଭବ ନେଉଛନ୍ତି ଲୋକେ । ସେହିପରି ଉତ୍ତରକାଶୀ ଓ ଚାମୋଲି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଥିବାରୁ ଏଠାରେ ଜଳବାୟୁ ସାମାନ୍ୟ ଆର୍ଦ୍ର ରହିଛି । ଗତ କିଛିଦିନ ହେବ ଡେରାଡୁନ୍ରେ ଅତିକମ୍ରେ ତାପମାତ୍ରା ୭ ଡିଗ୍ରୀ ଓ ଅତ୍ୟଧିକ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡ଼ିଆ ଅଞ୍ଚଳ କେଦାରନାଥରେ ମାଇନସ୍ ୧୦ ଡିଗ୍ରୀ, ଔଲିରେ ମାଇନସ୍ ୪ ଡିଗ୍ରୀ ଓ ବଦ୍ରିନାଥରେ ମାଇନସ୍ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାତି ହେଲେ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଜିଲ୍ଲା । ବିଶେଷ କରି ଡେରାଡୁନ୍ର ବାହ୍ୟ ଅଞ୍ଚଳ ସମେତ ହରିଦ୍ୱାର ଓ ଉଦ୍ଧମସିଂ ନଗରରେ ପ୍ରବଳ କୁହୁଡ଼ି ଯୋଗୁଁ ଗାଡ଼ି ଚାଳନା ବାଧାପ୍ରାପ୍ତ ହେଉଛି । ଏଣୁ ରାଜ୍ୟବାସୀ ତଥା ପର୍ଯ୍ୟଟକଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଠାରୁ ପାଗ ସମ୍ବନ୍ଧୀୟ ସୂଚନା ଜାଣିବା ପରେ ଯାତ୍ରା କରିବା ପାଇଁ ପ୍ରଶାସନିକ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି । ସୂଚନା ଯେ, ସ୍ନୋଫଲ୍ ଅଞ୍ଚଳରେ ୮୨୦୨ ଫୁଟ ଉଚ୍ଚତାରୁ ବରଫ ବର୍ଷା ହେଉଛି ।