କଟିଲା ଅରୁନ୍ଧତୀ ଦେବୀଙ୍କ ଟିକେଟ
ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଦେବଗଡ଼ର ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ଦିଆଯାଇଛି । ସେଠାରୁ ରୋମାଂଚ ରଞ୍ଜନ ବିଶ୍ୱାଳ ନିର୍ବାଚନ ଲଢ଼ିବେ । ନିକଟରେ ଅରୁନ୍ଧତୀ ବିଜେଡ଼ିରେ ଯୋଗଦେବା ସହ ଟିକେଟ ହାତେଇ ନେଇଥିଲେ । ପରେ ପରେ ନୀତେଶ ଗଙ୍ଗଦେବଙ୍କ ଇସ୍ତଫା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ତେବେ ତାଙ୍କ ଫେସବୁକ ପେଜ ହ୍ୟାକ ହୋଇଥିବା ନେଇ ନୀତେଶ କହିଥିଲେ ।
କୋରେଇ, ନୀଳଗିରି ଓ ଖଣ୍ଡପଡ଼ା ପାଇଁ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । କୋରେଇରୁ ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସଙ୍କ ମା’ ସଂଧ୍ୟାରାଣୀ ଦାସ । କୋରେଇ ହେଉଛି ଅଶୋକ ଦାସଙ୍କ ଗଡ଼ । ସେଠାରୁ ସେ ବହୁବାର ବିଧାୟକ ହୋଇଛନ୍ତି । ସେହିପରି ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି । ସାବିତ୍ରୀ ହେଉଛନ୍ତି ଖଣ୍ଡପଡ଼ାର ଟାଣୁଆ ନେତା ବେଣୁଧର ପ୍ରଧାନଙ୍କ ପତ୍ନୀ । ସେହିପରି ନୀଳଗିରିରୁ ସୁକାନ୍ତ ଦୁଇଥର ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ସେ ବିଜେପି ଟିକେଟରେ ଲଢ଼ି ବାଜିମାତ କରିଥିଲେ । ତେବେ ନିକଟରେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ ।