ମୁହାଁମୁହିଁ ହେଲେ ସମର୍ଥକ : ନାମାଙ୍କନ ଦାଖଲ କଲେ ହେଭିୱେଟ

ମୁହାଁମୁହିଁ ହେଲେ ସମର୍ଥକ : ନାମାଙ୍କନ ଦାଖଲ କଲେ ହେଭିୱେଟ

ଭୁବନେଶ୍ୱର ଲୋକସଭା ଆସନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ଦୁଇ ହେଭିୱେଟ ନେତା। ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ତେବେ ନାମାଙ୍କନ ଦାଖଲ ବେଳେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ବେଳେ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା।

ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଜି ସକାଳେ ପ୍ରଥମେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ  ସମର୍ଥକଙ୍କ ସହ ମା’ ଭୁଆଷୁଣି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଖୋଲା ଜିପ୍‌ରେ ଯାଇଥିଲେ। ଏହି ସମୟରେ ଅପରାଜିତା ଏକ ବିଶାଳ ରୋଡ ଶୋ’ କରିଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ। ଏହାପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ।  ଅପରାଜିତାଙ୍କ ପାଖେପାଖେ ତାଙ୍କ ପୁଅ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ସମର୍ଥକ ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ, ବାବୁ ସିଂ ପ୍ରମୁଖ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ।