ପାରାଦୀପରେ କଂଗ୍ରେସର ଜାତୀୟ ପ୍ରବକ୍ତା ପ୍ରଭାତ କୁମାର
ପାରାଦୀପ: ଜନସାଧାରଣଙ୍କ ନିକଟରେ ନିର୍ବାଚନ ଇସ୍ତାହାର ପହଞ୍ଚାଇବା ନିମନ୍ତେ କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ପ୍ରଭାତ କୁମାର ଦିନିକିଆ ପାରାଦୀପ ଗସ୍ତରେ ଆସି ବାହୁଡି ଯାଇଛନ୍ତି । ପାରାଦୀପରେ ଆସି ପହଞ୍ଚିବା ପରେ ପାରାଦୀପ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ନାୟକ ପ୍ରଭାତ କୁମାରଙ୍କୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିବା ବେଳେ ସ୍ଥାନୀୟ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରିଥିଲେ । ରାଜ୍ୟ ତଥା ଦେଶରେ ଜନତାଙ୍କୁ ବର୍ଷ ବର୍ଷ ଧରି ଧୋକା ଦେଇ ଆସିଥିବା ବିଜେଡି ଓ ବିଜେପି ଉଭୟ ସରକାରଙ୍କୁ କ୍ଷମତାଚୁ୍ୟତ କରିବାକୁ ଜାତୀୟ ପ୍ରବକ୍ତା ପ୍ରଭାତ କୁମାର ନିବେଦନ କରିଥିଲେ । ଶୀତତାପ ନିୟନ୍ତ୍ରିତ ଘରେ ବସି ରାଜନୀତି ହୁଏ ନାହିଁ, ରାଜ୍ୟରେ ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବକ, ଯୁବତୀମାନେ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କଂଗ୍ରେସ ଦଳ କ୍ଷମତାକୁ ଫେରିଲେ ସ୍ଥାନୀୟ ବେକାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତିର ଗ୍ୟାରେଂଟି ଦେବ । ପାରାଦୀପ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ପ୍ରଦୂଷଣର ଶୀକାର ହୋଇ ଆସୁଥିବା ବେଳେ ରାଜ୍ୟ କି କେନ୍ଦ୍ର ସରକାର କେହି ଏ ଦିଗରେ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରଭାତ କୁମାର ପ୍ରକାଶ କରିଛନ୍ତି । ସେହିଭଳି ପାରାଦୀପ ଅନ୍ତେବାସୀ ପିଇବାକୁ ନିୟମିତ ପାଣି ମୁନେ୍ଦ ପାଉ ନ ଥିବାବେଳେ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ବନ୍ଦର ଧୂଆଁବାଣ ପାଲଟିଛି । ସ୍ୱର୍ଗତ ବିଜୁ ପଟ୍ଟନାୟକ କଂଗ୍ରେସ ଦଳରେ ଥିବା ବେଳେ ପାରାଦୀପରେ ବନ୍ଦର ପ୍ରତିଷ୍ଠା ସମ୍ଭବ ହୋଇଥିଲା । କିନ୍ତୁ ୰ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ରହିବାର ୨୪ ବର୍ଷ ଭିତରେ ପାରାଦୀପ ପାଇଁ କଣ କରିଛନ୍ତି ବୋଲି ଜାତୀୟ ପ୍ରବକ୍ତା ପ୍ରଭାତ କୁମାର ପ୍ରଶ୍ନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ସେଠୀ,ପାରାଦୀପ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ଚୈାଧୁରୀ, ପାରାଦୀପ ପୈାର ପାଳିକାର ପାରିଷଦ କେଦାର ନାଥ ଜେନାଙ୍କ ସମେତ ସ୍ଥାନୀୟ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।