୯ ଲୋକସଭାରେ ଜମାଣିଆ ଲଢ଼େଇ

ଭୁବନେଶ୍ୱରରୁ ଶ୍ରୀକାନ୍ତ କୁମାର ରାଉତ : ନିର୍ବାଚନୀ ପ୍ରଚାରରେ ଏବେ ସାରା ରାଜ୍ୟ ଦୁଲୁକୁଛି । ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରୁଛନ୍ତି ନେତା ଓ କର୍ମୀ । ଏସବୁ ଭିତରେ ୯ ଲୋକସଭା ଆସନରେ ଜମାଣିଆ ଲଢ଼େଇ ହେବାର ସଂକେତ ମିଳିଗଲାଣି । ଏହିସବୁ ଆସନଗୁଡ଼ିକ ହେଉଛି; ସମ୍ବଲପୁର, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡ଼ା, କଟକ, ବ୍ରହ୍ମପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ । ଏହି ୯ରେ କିଏ ମାରିବ ବାଜି, ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । 
ସବୁଠାରୁ ଚର୍ଚ୍ଚିତ ଲଢ଼େଇ ସମ୍ବଲପୁରରେ ହେବ । ଏଠାରୁ ରାଜ୍ୟ ରାଜନୀତିର ଦୁଇ ବଡ଼ ଚେହେରା ଲଢୁଛନ୍ତି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ିରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ଉଭୟଙ୍କ ଅଙ୍କ ବିଗାଡ଼ିବାକୁ ରଣନୀତି କରିଛନ୍ତି କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱରରୁ ପୁଣିଥରେ ବାଜି ମାରିବାକୁ ଅଙ୍କ କଷୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ୱରରୁ ଲଢ଼ିନଥିବାବେଳେ ଏଥର ଯୁବନେତା ୟାସିର ନୱାଜ ମଇଦାନକୁ ଓହ୍ଲାଇଛନ୍ତି । ପୁରୀରୁ ସମ୍ବିତ ପାତ୍ର ବିଜୟର ସ୍ୱାଦ ଚାଖିବା ପାଇଁ ରଣନୀତି କରିଛନ୍ତି । ସେପଟେ ଗତଥର ଭୁବନେଶ୍ୱରରୁ ହାରିଥିବା ଅରୂପ ପଟ୍ଟନାୟକ ଏଥର ବିଜୟୀ ହେବାକୁ ଆଶା ରଖିଛନ୍ତି । କଟକରୁ ଲଗାତର ସାଂସଦ ହୋଇ ଆସୁଥିବା ଭର୍ତ୍ତୃହରି ମହତାବଙ୍କର ଚିହ୍ନ ବଦଳି ଯାଇଛି । ଶଙ୍ଖ ବଦଳରେ ସେ ଏଥର ପଦ୍ମରୁ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି କର୍ପୋରେଟ ଜଗତର ଜଣାଶୁଣା ଚେହେରା ସଂତୃପ୍ତ ମିଶ୍ର । ସେହିପରି କଂଗ୍ରେସ ମଧ୍ୟ ପୁରୁଖା ନେତା ସୁରେଶ ମହାପାତ୍ରଙ୍କ ଉପରେ ଆସ୍ଥା ରଖିଛି ।
ବ୍ରହ୍ମପୁରରୁ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ବିଜେଡ଼ି ନେତା ଭ୍ରୁଗୁ ବକ୍ସିପାତ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଉଭୟଙ୍କର ଚିହ୍ନ ବଦଳିଯାଇଛି । ପ୍ରଦୀପ ବିଜେଡ଼ିରୁ ବିତାଡ଼ିତ ହୋଇ ବିଜେପିକୁ ଆସିଥିବାବେଳେ ଭ୍ରୁଗୁ ଏବେ ବିଜେଡ଼ି ଶିବିରରେ ଅଛନ୍ତି । ମୟୂରଭଞ୍ଜ ଆସନଟି ଗତଥର ବିଜେପି ହାତରେ ଥିବାବେଳେ ଏଠାରୁ ଲଢୁଛନ୍ତି ବିଜେପି ବିଧାୟକ ନବଚରଣ ମାଝୀ । ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଟାଣୁଆ ବିଜେଡ଼ି ନେତା ସୁଦାମ ମାରାଣ୍ଡି । ବାଲେଶ୍ୱରରୁ ପୁଣିଥରେ ଲଢ଼ୁଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ତେବେ ତାଙ୍କର ସାମ୍ନା କରିବେ ପୁରୁଣା ସହଯୋଗୀ ଲେଖାଶ୍ରୀ ସାମନ୍ତସିଂହରାୟ । ଲେଖା ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣିଥରେ କଂଗ୍ରେସରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।
ସୁନ୍ଦରଗଡ଼ରେ ବିଜେପି ଜୁଏଲ ଓରାମଙ୍କୁ ଟିକେଟ ଦେଇଛି । ବହୁବାର ସୁନ୍ଦରଗଡ଼ର ସାଂସଦ ହେବା ସହ କେନ୍ଦ୍ରମନ୍ତ୍ରୀ ବି ହୋଇଛନ୍ତି । ଏଥର ତାଙ୍କର ଲଢ଼େଇ ବିଜେଡ଼ି ନେତା ଦିଲ୍ଲୀପ ତିର୍କିଙ୍କ ସହ ହେବ । ପୂର୍ବରୁ ଜୁଏଲଙ୍କ ଠାରୁ ପରାସ୍ତ ହୋଇଥିବା ଦିଲ୍ଲୀପ ଏଥର ବାଜିମାତ କରିବାକୁ ଆଶା ରଖିଛନ୍ତି । କେନ୍ଦ୍ରାପଡ଼ାରୁ ହଁ ନାହିଁ ଭିତରେ ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ ପଣ୍ଡା । କଂଗ୍ରେସରୁ ଆସିଥିବା ଅଂଶୁମାନ ମହାନ୍ତିଙ୍କୁ ବିଜେଡ଼ି ଟିକେଟ ଦେଇଛି  । ତେବେ କଂଗ୍ରେସ ଭୋଟବ୍ୟାଙ୍କ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛନ୍ତି ସିଦ୍ଧାର୍ଥ ସ୍ୱରୂପ ଦାସ । ଏହି ୯ ଆସନରେ କିଏ ବାଜିମାରିବେ ତାହା ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ ।