ଝାଡଖଣ୍ଡରେ ମୋଦୀ କରିବେ ଓଡିଶା ଷ୍ଟାଇଲରେ ପ୍ରଚାର

ଝାଡଖଣ୍ଡରେ ମୋଦୀ କରିବେ ଓଡିଶା ଷ୍ଟାଇଲରେ ପ୍ରଚାର

ରାଞ୍ଚି : ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ପ୍ରଚାର ପାଇଁ ଆସିନାହାନ୍ତି ବରଂ ଲୋକଙ୍କୁ ଶପଥ ଉତ୍ସବକୁ ନିମନ୍ତ୍ରଣ କରିବାକୁ ଆସିଛନ୍ତି। ମୋଦିଙ୍କ ଏଭିଳ ଭବିଷ୍ୟବାଣୀକୁ ନେଇ ଜୋର ଧରିଲାଣି ଚର୍ଚ୍ଚା। ଏଥିସହ ମୋଦିଙ୍କ ଏହି ବୟାନକୁ ନେଇ ଝାଡଖଣ୍ଡ ରାଜନୀତି ସରଗରମ ହୋଇଛି।

ଠିକ ଓଡ଼ିଶା ଷ୍ଟାଇଲରେ ଝାଡ଼ଖଣ୍ଡବାସୀଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଦେଓଘରରେ ପ୍ରଚାର ବେଳେ ଏଭଳି ନିମନ୍ତ୍ରଣ ଦେଇଛନ୍ତି ମୋଦି । ସେ କହିଛନ୍ତି, ସେ ଭୋଟ ମାଗିବାକୁ ଆସିନାହାନ୍ତି, ଜନତାଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିବାକୁ ଆସିଛନ୍ତି । ଦୃଢ଼ୋକ୍ତି ଦେଖାଇ ଆହୁରି କହିଛନ୍ତି, ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ଏବଂ ତା’ପରେ ଭାଜପା ଓ ଏନଡିଏ ସରକାର ଶପଥ ନେବେ ।ମୋଦିଙ୍କ ଏହି ଭବିଷ୍ୟବାଣୀ ଝାଡ଼ଖଣ୍ଡ ରାଜନୀତିକୁ ହୁଲସ୍ତୁଲ କରି ଦେଇଛି । ମୋଦି ଏମିତି କଣ ଦେଖିଲେ, ଯେଉଁଥିପାଇଁ ଶପଥ ସମାରୋହକୁ ନିମନ୍ତ୍ରଣ କଲେ ତାକୁ ନେଇ ଚର୍ଚ୍ଚା ହେଉଛି । ଠିକ ଏହି ଭଳି ଢଙ୍ଗରେ ଓଡ଼ିଶାରେ ମଧ୍ୟ ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ମୋଦି । ୨୦୨୪ ଜୁନ ୪ ତାରିଖରେ ନିର୍ବାଚନୀ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ପାଞ୍ଚ ଦିନ ପୂର୍ବରୁ ମେ ୨୯ରେ ବାଲେଶ୍ବରରେ ନିର୍ବାଚନୀ ପ୍ରଚାର ବେଳେ ସେ ଏଭଳି କହିଥିଲେ । ଜୁନ ୧୦ରେ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଜଣାଇଥିଲେ ।

 ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ବିଧାନସଭା କ୍ଷେତ୍ରରେ ଭୋଟ ପଡ଼ିଛି । ଏହି ସମୟରେ ସମସ୍ତଙ୍କ ନଜରରେ ଥିଲା ଇଷ୍ଟ ଜାମସେଦପୁର, ୱେଷ୍ଟ ଜମସେଦପୁର, ଷଢ଼େଇକଳା, ଖରସୁଆଁ ପରି ଆସନ ଉପରେ। ଇଷ୍ଟ ଜାମସେଦପୁରରେ ମୁହାଁମୁହିଁ ହୋଇଥିଲେ ଭାଜପା ବିଧାୟିକା ପ୍ରାର୍ଥୀ ପୂର୍ଣ୍ଣିମା ଦାସ ସାହୁ ଏବଂ କଂଗ୍ରେସର ଅଜୟ କୁମାର। ସେହିପରି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳା ଭାଜପା ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ଭାଗ୍ୟ ମଧ୍ୟ EVM ରେ ସିଲ ହୋଇଛି।