ବଢ଼ିଲା ପ୍ରଭାତୀ ଓ ବାଇଧରଙ୍କ ବିଜୟ ଆଶା
ଭୁବନେଶ୍ୱର: ରାଜ୍ୟ ବିଜେପିର ଟାଣୁଆ ନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା । କିନ୍ତୁ ନିମାପଡ଼ାରେ ସେ ବାରବାର ପରାଜୟର ସାମ୍ନା କରି ଆସୁଛନ୍ତି । ସେପଟେ ଦକ୍ଷ ସଂଗଠକ ଭାବେ ବାଇଧର ମଲ୍ଲିକଙ୍କର ମଧ୍ୟ ପରିଚିତି ରହିଛି । ହେଲେ ବିଜେଡ଼ି ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ଆଉ ବିଜୟର ସ୍ୱାଦ ଚାଖି ପାରିନାହାନ୍ତି । ଏଥର କିନ୍ତୁ ଉଭୟଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ସେମାନଙ୍କ ସ୍ଥିତି ଦୋହଲୁଥିବାବେଳେ ଏବେ ବେଶ୍ ବଳୁଆ ହୋଇ ଯାଇଛନ୍ତି ।
ନିମାପଡ଼ାରୁ ହାଟ୍ରିକ ବିଧାୟକ ହୋଇଛନ୍ତି ସମୀର ରଞ୍ଜନ ଦାସ । ପ୍ରତିଥର ସେ ଭଲ ଭୋଟରେ ବି ବାଜିମାତ୍ କରନ୍ତି । ନବୀନଙ୍କ ଗୁଡ଼ବୁକରେ ଥିବାରୁ ମନ୍ତ୍ରୀ ହେବାର ବି ସୁଯୋଗ ପାଇଥିଲେ । କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ ଦେଲାନାହିଁ । ପ୍ରଥମେ ସମୀର ଶକ୍ତି ପ୍ରଦର୍ଶନ କରିବା ସହ ଦଳ ଉପରେ ଚାପ ପକାଇଲେ । ଆଡ଼ରୁଷା ଦେଇ ଚୁପ୍ ବସିଲେ । ଦଳ ତାଙ୍କୁ ଲଲିପପ ଧରାଇ ବୁଝାଇଥିଲେବି ସମୀର କିନ୍ତୁ ବୁଝିନାହାନ୍ତି । ଶେଷରେ ସେ ବିଜେପିକୁ ଘରବାହୁଡ଼ା କରିବାକୁ ବାଧ୍ୟ ହୋଇଛନ୍ତି । ଏବେବି ନିମାପଡ଼ାରେ ସମୀରଙ୍କର ୨୦ରୁ ୩୦ ହଜାର ପକେଟ ଭୋଟ ରହିଛି । ଏହି ଭୋଟ ବିଜେପି ଆଡ଼କୁ ଅର୍ଥାତ ପ୍ରଭାତୀ ପାଇବାର ଥିବାରୁ ତାଙ୍କର ବିଜୟ ଆଶା ବଢ଼ିଯାଇଛି । ଅନେକ ବାର ସମୀରଙ୍କ ଠାରୁ ହାରିଥିବା ପ୍ରଭାତୀ ଏବେ ସମୀରଙ୍କ ଭରସାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଅନେଇ ବସିଛନ୍ତି ।
ଖାଲି ନିମାପଡ଼ା ନୁହେଁ, କାକଟପୁର ଅଙ୍କ ବି ବଦଳିଯାଇଛି । ଏକଦା କାକଟପୁର ଥିଲା ସୁରେନ୍ଦ୍ର ନାଥ ନାୟକଙ୍କ ଗଡ଼ । ହେଲେ ୨୦୦୯ରେ ଆସନଟି ସଂରକ୍ଷଣ ହୋଇଯିବାରୁ ସୁରଙ୍କ ରାଜନୀତିକ କ୍ୟାରିୟର ଶେଷ ହୋଇଯାଇଥିଲା । ସୁର ଓ ତାଙ୍କ ପୁଅ ସ୍ୱାଧୀନ ନାୟକ ନିର୍ବାଚନ ଲଢିପାରୁନଥିଲେବି କାକଟପୁରର ବିଧାୟକ କିଏ ହେତେ ତାହା ନିର୍ଦ୍ଧାରଣ କରୁଥିଲେ । ଏକଦା ସୁରଙ୍କ ସମର୍ଥନରେ ସୁରେନ୍ଦ୍ର ସେଠୀ କାକଟପୁର ବିଧାୟକ ହୋଇଥିବାବେଳେ ଏବେ ତାଙ୍କର ବ୍ୟକ୍ତିଗତ ସାଂଗଠନିକ ଶକ୍ତି ଢ଼େର ବଢ଼ିଯାଇଛି । ଏଥର ନିଶ୍ଚିତ ଟିକେଟ ପାଇବାକୁ ସେ ଆଶା ରଖିଥିଲେବି ବିଜେଡ଼ି ତାଙ୍କୁ ନିରାଶ କରିଥିଲା । କିଛିଦିନ ନୀରବ ରହିବା ପରେ ସେ ପଦ୍ମପୋଖରୀକୁ ଡିଆଁ ମାରିଛନ୍ତି । ଯାହାକି ବିଜେପି ପ୍ରାର୍ଥୀ ବାଇଧରଙ୍କ ପାଇଁ ବୁଷ୍ଟର ଡୋଜ ହୋଇଛି । ଖାଲି ବାଇଧର କି ପ୍ରଭାତୀ ନୁହଁନ୍ତି ଦୁଇ ଟାଣୁଆ ନେତା ବିଜେପିକୁ ଆସିଥିବାରୁ ଜଗତସିଂହପୁରର ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇଙ୍କ ଶକ୍ତି ବି ବଢ଼ିଯାଇଛି ।