ଧର୍ମଶାଳା ଜିତିବାକୁ ଜିତୁଙ୍କ ରଣନୀତି

ଯାଜପୁରରୁ ଶରତ ପଥାଳ  : ଜୁନରେ ଏକରେ ଶେଷ ପର୍ଯ୍ୟାୟ ଭୋଟ । ଦିନଟିଏ ପରେ ପ୍ରଚାର ବନ୍ଦ । ଭୋଟରେ ଜିତିବାକୁ ସବୁ ଦଳ ଏବଂ ପ୍ରାର୍ଥୀ ଲାଗିପଡ଼ିଛନ୍ତି । ଧର୍ମଶାଳାରୁ ହ୍ୟାଟି୍ରକ କରିବାକୁ ବିଜୁ ଜନତା ଦଳରୁ ଲଢୁଛନ୍ତି ପ୍ରଣବ ବଳବନ୍ତରାୟ (ଜିତୁ) । ଜିତୁ ବିଜୁ ଜନତା ଦଳର ଜଣେ ଟାଣୁଆ ଯୁବ ନେତା । ସେଥିପାଇଁ ତାଙ୍କ ଉପରେ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଜିଲାର ପ୍ରଭାରୀ କରିଛି । ଦଳ ଯେଉଁ ଦାୟିତ୍ୱ ଦିଏ ତାହାକୁ ସେ ଭଲଭାବରେ ତୁଲାଇଥାନ୍ତି । ସେଥିପାଇଁ ତ ନାମାଙ୍କନ ପତ୍ର ଦାଖଲ କଲା ପରେବି ନିଜ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ବେସି ସମୟ ନରହି ଦାୟିତ୍ୱରେ ଥିବା ଜିଲାରେ ଦିନରାତି କାଟୁଥିଲେ । ଧର୍ମଶାଳା ବିଜେଡ଼ି ଗଡ଼ ଏବଂ ପରିବାରବାର ରାଜନୀତିର ଏକ ହିସା ବୋଲି ଧରିନେଇଥିବା ଜିତୁଙ୍କ ପାଇଁ ୨୪ ନିର୍ବାଚନ ଜଟିଳ ହୋଇଛି । ବାରମ୍ବାର ସହଜ ବିଜୟ ହାସଲ କରୁଥିବା ଜିତୁଙ୍କୁ ବିଜେପି କି କଂଗ୍ରେସ ଟକ୍କର ଦେଉନି, ସ୍ୱାଧୀନରେ ଲଢୁଥିବା ବିଗତଦିନର ସହଯୋଗୀ ହିଁ କଡ଼ା ମୁକିବିଲାର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏକଥାକୁ ଭଲ ଭାବେ ବୁଝିବା ପରେ ଜିତୁ ଗାଁରୁ ଗାଁ ବୁଲିବା ସହ ନିଜର ଅଧ୍ୟକ୍ଷ ଭାଇଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱ ଦେଇଛନ୍ତି । ଜିତୁଙ୍କ ପାଇଁ କର୍ମୀ, କାର୍ଯ୍ୟକର୍ତା ଏବଂ ପଞ୍ଚାୟତ ପ୍ରତିନିଧି ନିଆରାଢଙ୍ଗରେ ପ୍ରଚାର କରୁଛନ୍ତି । ହେଲେ ସ୍ୱାଧିନକୁ ମୁକାବିଲା କରିବା ସହ ଜିତୁ ଧର୍ମଶାଳା ଜିତିବାକୁ କାହା ଉପରେ ଭରସା କରିପାରୁ ନାହାନ୍ତି । ଯେଉଁ ମାନଙ୍କ ସହଯୋଗ ଏବଂ ସାହାର୍ଯ୍ୟରେ ଜିତୁ ନିର୍ବାଚନୀ ବୈତରଣୀ ପାରି ହେଉଥିଲେ ସେମାନଙ୍କ ଉପରେ ଭରସା କରିବା କରିବା ଅପେକ୍ଷା ନିଜ ମଙ୍ଗ ନିଜେ ଧରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ତାଙ୍କ ବାଟର କଣ୍ଟା ହୋଇଥିବାରୁ ଜିତୁ ଧର୍ମଶାଳା ଜିତିବାକୁ ଏବେ ‘ମିଶ୍ରଣ ପର୍ବ’କୁ ପ୍ରମୁଖ ଆୟୁଧ କରିଛନ୍ତି । ନିର୍ବାଚନକୁ ଦୁଇଦିନ ରହିଥିବା ବେଳେ ଧର୍ମଶାଳା ବିଜେଡ଼ି କାର୍ଯ୍ୟାଳୟରେ ଦୈନିକ ମିଶ୍ରଣ ପର୍ବ ଚାଲିଛି । ବିଜେପି ଏବଂ ଅନ୍ୟଦଳର କର୍ମୀ-ସମର୍ଥକ ବିଜେଡ଼ିରେ ମିଶୁଛନ୍ତି । ବିଜେଡ଼ି ମିଶ୍ରଣ ପର୍ବ ମାଧ୍ୟରେ ନିଜର ଶକ୍ତି ବୃଦ୍ଧି କରି ଧର୍ମଶାଳା ଜିତିବାର ଯୋଜନା କରୁଥିବା ବେଳେ ଏହା ହିଁ ଏବେ ଆଲୋଚନାର ବିଷୟ ହୋଇପଡ଼ିଛି । ଧର୍ମଶାଳାରେ ବିଜେଡ଼ି ବିଜେପିକୁ ୧୯ ନିର୍ବାଚନରେ ୬୦ହଜାର ଭୋଟ ବ୍ୟବଧାନରେ ହରାଇ ବାଜିମାତ କରିଥିଲା । ବିଜେପି ଯେଉଁ ପରିମାଣର ଭୋଟ ହାତେଇଥିଲା, ତାହା ଏବେ ଅନେକ ଭାଗରେ ବିଭକ୍ତ ହୋଇଯାଇଛି । ବିଜେପିରୁ ଲଢି ହାରିଯିବା ପରେ ରମେଶ ପରିଡ଼ା ପାଇଥିବା ୪୮ ହଜାର ଭୋଟର ସିଂହଭାଗ ସ୍ୱାଧୀନ ପ୍ରାର୍ଥôଙ୍କ ସପକ୍ଷରେ ରହିଛି । ଯେଉଁ ଭୋଟର କେବଳ ଜିତୁ ନୁହଁନ୍ତି ବିଜେପି ପ୍ରାର୍ଥିଙ୍କ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ଯାହା ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥିଙ୍କ ପାଇଁ ଭୋଟ ମାଗିବା ବେଳେ ଦେଇଥିବା ଭାଷଣ ପ୍ରମାଣିତ କରିିଥିଲା । ସ୍ୱାଧୀନ ପ୍ରାର୍ଥୀଙ୍କୁ ନୀଳବର୍ଣ୍ଣ ଶୃଗାଳ ବୋଲି ଅଭିହିତ କରି ଧର୍ମେନ୍ଦ୍ର ସ୍ପଷ୍ଟ କରିଦେଇଥିଲେ କି ଧର୍ମଶାଳାରେ ବିଜେପି ବିଜେଡ଼ି ସହ ଲଢିବା ଅବସ୍ଥାରେ ନାହିଁ । ଦଳୀୟ ପ୍ରାର୍ଥିଙ୍କ ପ୍ରଚାରରେ ଆସି ନିର୍ଦ୍ଦଳୀୟଙ୍କୁ କୋର୍ଟ କରିବା  ବିଜେପିକୁ ଦୁର୍ବଳ କରିବାର ବାଟ ଫିଟାଇ ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଯଦି ଧର୍ମେନ୍ଦ୍ର ଜିତୁଙ୍କୁ ନିଶାନା କରିଥାନ୍ତେ, ତେବେ ତାହା ବିଜେପି ପ୍ରାର୍ଥିଙ୍କ ପାଇଁ କିଛିଟା ଲାଭଦାୟକ ହୋଇପାରିଥାନ୍ତା । କିଏ କ’ଣ କହିବ, ତାହା ତାଙ୍କ ବ୍ୟକ୍ତିଗତ ବା ଦଳଗତ କଥା ହୋଇପାରେ, ହେଲେ ଧର୍ମଶାଳା ଜିତିବାକୁ ଜିତୁ ମିଶ୍ରଣ ପର୍ବକୁ ଗୁରୁତ୍ୱ ଦେଇଚାଲିଛନ୍ତି । ଲଗାତାର କିଛିଦିନ ଧରି ଜିତୁ ଅନ୍ୟଦଳରୁ ଆସୁଥିବା କର୍ମୀ ଏବଂ ସମର୍ଥକଙ୍କୁ ଦଳରେ ମିଶାଇ ଜିତିବାର ଅଭିପ୍ରେତ ରଖିଛନ୍ତି । ମିଶ୍ରଣ ପର୍ବ ଜିତୁଙ୍କୁ କେତେ ସହାୟ ହେଉଛି ଆଉ ସ୍ୱାଧୀନ ପ୍ରାର୍ଥୀ ମୁକାବିଲା କରିବାରେ କେତେ ସମର୍ଥ ହେଉଛନ୍ତି ତାହା ଦେଖିବାର ଅଛି ।