ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଆସାମ ନିର୍ବାଚନର ପ୍ରଭାରୀ ଦାୟିତ୍ୱ
ଭୁବନେଶ୍ୱର : ଆସନ୍ତା ଆସାମ ନିର୍ବାଚନର ପ୍ରଭାରୀ ଦାୟିତ୍ୱ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି । ତାଙ୍କୁ ପୂର୍ବରୁ ୨୦୨୧ରେ ଆସାମ ନିର୍ବାଚନର ପ୍ରଭାରୀ ଦାୟିତ୍ୱ ମିଳିଥିଲା । ଦାୟିତ୍ୱକୁ ସେ ସୁଚାରୁରୂପେ ତୁଲାଇଥିଲେ ଯାହା ଫଳରେ ଆସାମରେ ବିଜେପି ସରକାର ଗଢିଥିଲା । ଏବେ ପୁଣି ୨୦୨୫ରେ ତାଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଓ ଜମୁ କାଶ୍ମୀର ବିରୋଧୀ ଦଳ ନେତା ସୁନିଲ କୁମାର ଶର୍ମାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆ ଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ଏବେ ବିଜେପି ଶାସନ କ୍ଷମତାରେ ଅଛି । ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ଯୋଜନା ପ୍ରସ୍ତୁତ କରିଥିଲା । ୨୦୨୪ରେ ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ ଦାୟିତ୍ୱ ଦେଇଥିଲା । ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା । ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା । ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଥିଲେ । ବିଜୟ ଆଶାରେ ବିଜେପି ଦୁଇ ପାୱାରଫୁଲ୍ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲା । ଗତ ବର୍ଷ ବି ବୈଜୟନ୍ତ ପଣ୍ଡା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ନୂଆଦିଲ୍ଲୀରେ ବିଜେପିକୁ ଦୀର୍ଘ ବର୍ଷ ପରେ ପୁଣି କ୍ଷମତାର ସ୍ୱାଦ ଚଖାଇଥିଲେ । ଏବେ ଦ୍ୱିତୀୟ ଥର ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ।