ଅକଳରେ ବିରୋଧୀ ମୁଖିଆ
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗାଦିଚୁ୍ୟତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେପି ଓ କଂଗ୍ରେସ । ଏଥର ସରକାର ଗଢ଼ିବୁ ବୋଲି ବିଜେପି ସଭାପତି ମନମୋହନ ସାମଲ କହୁଥିବାବେଳେ ପିସିସି ସଭାପତି ୯ରୁ ୯୦ର ଅଙ୍କ କଷିଛନ୍ତି । କିନ୍ତୁ ରାଜନୀତିକ ସ୍ଥିତି ଏମିତି ହୋଇଛିଯେ, ନିଜ ନିର୍ବାଚନମଣ୍ଡଳୀରେ ହିଁ ଏହି ଦୁଇ ନେତା ଏଥର ବାନ୍ଧି ହୋଇଯିବେ । ଅନ୍ୟ ନେତାଙ୍କ ପାଇଁ ପ୍ରଚାର କରିବାକୁ ବି ସମୟ ଦେଇପାରିବେ ନାହିଁ । ଅନ୍ୟ ନିର୍ବାଚନମଣ୍ଡଳୀରେ ଦୁଇ ସେନାପତିଙ୍କ ଅନୁପସ୍ଥିତିରେ ଦଳ କିଭଳି ପ୍ରଦର୍ଶନ କରିବ ତାହା ଉପରେ ବି ପ୍ରଶ୍ନବାଚୀ ଲାଗିବା ସ୍ୱାଭାବିକ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ହିଞ୍ଜିଳିରୁ ଲକ୍ଷେ ଭୋଟରେ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୦୦ରୁ ଏଯାବତ ସେ ହିଞ୍ଜିଳିରୁ ୫ ଥର ଜିତି ସାରିଲେଣି । ତେବେ ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ପରିଶ୍ରମ କରିବାକୁ ପଡ଼େନାହିଁ । ସେ ଦି ଚାରିଥର ପ୍ରଚାର କରୁଥିବାବେଳେ ବାକି କାର୍ଯ୍ୟ ତାଙ୍କର ପ୍ରତିନିଧି ଓ ଦଳୀୟ କର୍ମୀମାନେ କରିଥା’ନ୍ତି । ଯାହାଫଳରେ ନବୀନ ସାରା ରାଜ୍ୟ ବୁଲି ପ୍ରଚାର କରିପାରୁଛନ୍ତି । କିନ୍ତୁ ବିଜେପି ଓ କଂଗ୍ରେସ ମୁଖିଆଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ ।
୨୦୦୪ରେ ମାତ୍ର ଗୋଟିଏ ଥର ଜିତିଥିଲେ ମନମୋହନ ସାମଲ । ୨୦୦୯ରେ ସେ ଭଣ୍ଡାରୀପୋଖରୀରୁ ଓ ୨୦୧୪ ଏବଂ ୨୦୧୯ରେ ସେ ଚାନ୍ଦବାଲିରେ ବ୍ୟୋମକେଶ ରାୟଙ୍କ ଠାରୁ ହାରି ଯାଇଥିଲେ ।